ରିପୋର୍ଟ କାର୍ଡ / ଭୁବନେଶ୍ୱର
କୋଭିଡ ସ୍ଥିତି ଅନୁଧ୍ୟାନ ପାଇଁ ଓଡିଶା ଆସିବେ କେନ୍ଦ୍ରୀୟ କୋଭିଡ ଟିମ | ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ପାଖାପାଖି ୧୦ଟି ଜିଲ୍ଲାରେ କୋଭିଡ ଦ୍ଵିତୀୟ ଲହର ସଂକ୍ରମଣ ଚିନ୍ତାଜନକ ସ୍ଥିତିଥିଲା | ଏହାର ଅନୁଧ୍ୟାନ କରିବାକୁ କେନ୍ଦ୍ରୀୟ ଦଳ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି । ଓଡ଼ିଶା ସମେତ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ, ମଣିପୁର ଆଦି ରାଜ୍ୟରେ ମଧ୍ୟ କୋଭିଡ ସଂକ୍ରମଣ ଅଧିକ ରହୁଥିବାରୁ ଏହି ସବୁ ରାଜ୍ୟକୁ କେନ୍ଦ୍ରୀୟ ଦଳ ଗସ୍ତ କରିବେ ବୋଲି ଜଣାଯାଇଛି। କେନ୍ଦ୍ରରୁ ଆସୁଥିବା ଦଳ କୋଭିଡ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର କେଉଁସବୁ ଆହ୍ୱାନମୂଳକ ପରିସ୍ଥିତି ଓ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହା ଜାଣିବାକୁ ଚେଷ୍ଟା କରିବେ। ତାହାସହିତ କୋଭିଡ ମୁକାବିଲା ଦିଗରେ ସରକାରଙ୍କ ପ୍ରୟାସକୁ ଅଧିକ ସୁଦୃଢ କରିବା ଏବଂ ସେ କ୍ଷେତ୍ରରେ ରହୁଥିବା ପ୍ରତିବନ୍ଧକ ଦୂର କରିବା ଦିଗରେ ଏହି ଦଳ ପଦକ୍ଷେପ ନେବେ। ଏଆଇଆଇଏଚ ଆଣ୍ଡ ପିଏଚ୍ ର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଏ ଡାନ୍ ଓଡ଼ିଶାକୁ ଆସୁଥିବା ବିଶେଷଜ୍ଞ ଦଳର ନେତୃତ୍ୱ ନେଉଛନ୍ତି। ତାଙ୍କ ନେତୃତ୍ୱରେ ଦୁଇ ଜଣିଆ ବିଶେଷଜ୍ଞ ଦଳ ଓଡ଼ିଶାରେ ପହଞ୍ଚିବା ପରେ ରାଜ୍ୟରେ କୋଭିଡ ପରିଚାଳନା; ବିଶେଷକରି ନମୁନା ପରୀକ୍ଷଣ, ସତର୍କ ଦୃଷ୍ଟି ରଖିବା ଏବଂ ଆବଦ୍ଧାଞ୍ଚଳ ପରିଚାଳନା, କୋଭିଡ ନିୟମାବଳୀ ଏବଂ ତାହାର ପ୍ରବର୍ତ୍ତନ, ଡାକ୍ତରଖାନା ଶଯ୍ୟା ସଂଖ୍ୟା ଉପଲବ୍ଧତା, ଆମ୍ବୁଲାନ୍ସ, ଭେଣ୍ଟିଲେଟର, ଚିକିତ୍ସାରେ ବ୍ୟବହାର ହେଉଥିବା ଅମ୍ଳଜାନ ଆଦି ଲଜିଷ୍ଟିକ୍ସ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଅଛି କି ନାହିଁ ଏବଂ କୋଭିଡ-୧୯ ଟିକାକରଣ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବେ। ଏଥିସହିତ ରାଜ୍ୟର କୋଭିଡ ସ୍ଥିତି ପରଖିବା ପରେ ଏ ସମ୍ପର୍କରେ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ବିଷୟରେ ମଧ୍ୟ ଏହି ବିଶେଷଜ୍ଞ ଦଳ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ ବୋଲି ଜଣାଯାଇଛି।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……