Report Card Odisha

| Daily Odia News

ଖୁବ ଶୀଘ୍ର ୨ରୁ ୧୭ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅଗଷ୍ଟ ମାସରେ ୨ରୁ ୧୭ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା | ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାର ପରୀକ୍ଷା ବର୍ତ୍ତମାନ ଚାଲିଛି | ଏହା ସଫଳ ହେଲେ ଯଥାଶୀଘ୍ର ୨ ରୁ ୧୭ ବର୍ଷ ପିଲାଙ୍କୁ ଟିକା ଦିଆଯିବ। ବିଜେପିର ସଂସଦୀୟ ବୈଠକରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା । ସୂଚନା ମୁତାବକ, ମେ’ ୧୨ରେ, ଡିସିଜିଆଇ ଭାରତ ବାୟୋଟେକକୁ ଦୁଇ ବର୍ଷରୁ କମ୍ ପିଲାମାନଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରିବାକୁ ଅନୁମତି ପ୍ରଦାନ କରିଥିଲା | ଏହା ପରେ ଜୁନ୍ ୭ରେ, ଦିଲ୍ଲୀ ଏମ୍ସରେ ୨ରୁ ୧୭ବର୍ଷ ବୟସର ପିଲାମାନଙ୍କୁ କୋଭିଡ -୧୯ ଟିକା ଦେବା ପାଇଁ ଭାରତ ବାୟୋଟେକ ପରୀକ୍ଷା ଆରମ୍ଭ କରିଥିଲା | ତେବେ ୧୮ବର୍ଷରୁ କମ ବୟସ୍କ ପିଲାଙ୍କୁ କରୋନା ଟିକା ଦିଆଯିବା ନେଇ ଅନେକ ଦିନରୁ ଲୋକେ ଅପେକ୍ଷା କରିଥିବା ବେଳେ ଏବେ ଅପେକ୍ଷାର ଅନ୍ତ ହେଲା ଭଳି ଲାଗୁଛି । ଆଗକୁ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ଖୋଲିବାକୁ ସରକାର ଯୋଜନା କରୁଥିବାବେଳେ ଇଣ୍ଡୋନେସିଆରେ କରୋନାରେ ଶିଶୁଙ୍କ ବର୍ଦ୍ଧିତ ମୃତ୍ୟୁ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇଦେଇଛି । ଅନ୍ୟପକ୍ଷରେ, କରୋନାର ତୃତୀୟ ଲହରକୁ ରୋକିବାକୁ ହେଲେ ପିଲାଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ ବୋଲି ଏମ୍ସ ମୁଖ୍ୟ ଡଃ ରଣଦୀପ ଗୁଲେରିଆ କହିଛନ୍ତି ।

Breaking News