ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ସାମଗ୍ରିକଭାବେ କରୋନା ସଂକ୍ରମଣ ହ୍ରାସ ପାଉଥିବା ସତ୍ତ୍ବେ କେତେକ ରାଜ୍ୟରେ ଏବେ ବି ସ୍ଥିତି ଚିନ୍ତାଜନକ ରହିଛି । ଦେଶର ୧୮ଟି ଜିଲ୍ଲାରେ ଏବେ ଦୈନିକ ସଂକ୍ରମଣ ବଢିଚାଲିଛି । ଏସବୁ ଜିଲ୍ଲା ମଧ୍ୟରୁ କେବଳ କେରଳର ୧୦ଟି ଜିଲ୍ଲା ରହିଛି । ଦେଶର ମୋଟ ଦୈନିକ ସଂକ୍ରମଣର ୪୭.୫ ପ୍ରତିଶତ କେବଳ ଏହି ୧୮ଟି ଜିଲ୍ଲାରୁ ଆସୁଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି । ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଜୁନ ୧ରେ ଦେଶର ୨୭୯ଟି ଜିଲ୍ଲାରେ ଦୈନିକ ୧୦୦ରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହେଉଥିବାବେଳେ ଏବେ ସେପରି ଜିଲ୍ଲା ସଂଖ୍ୟା ୫୭କୁ ହ୍ରାସ ପାଇଛି । କିନ୍ତୁ ବିଶ୍ବରେ ଏବେ ପୁଣି ସଂକ୍ରମଣ ବଢିବାରେ ଲାଗିଛି । ଏଣୁ ଆମ ଦେଶରେ ସଂକ୍ରମଣ କମୁଥିଲେ ବି ଆମକୁ ଆହୁରି ସତର୍କ ରହିବାକୁ ପଡ଼ିବ । ଦେଶରେ ଏପର୍ଯ୍ୟନ୍ତ ୪୭.୮୫ କୋଟି ମାତ୍ରା (ଡୋଜ୍) ଟିକା ଦିଆଯାଇଛି । ତାହା ମଧ୍ୟରୁ ୩୭.୨୬ କୋଟି ପ୍ରଥମ ମାତ୍ରା ଓ ୧୦.୫୯ କୋଟି ୨ୟ ମାତ୍ରା ରହିଛି । ଜୁଲାଇ ମାସରେ ପ୍ରାୟ ୪୩.୪୧ କୋଟି ମାତ୍ରା ଟିକା ଦିଆଯାଇଛି ବୋଲି ସେ କହିଛନ୍ତି ।






More Stories
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି…..
ଶପଥ ନେଲେ କେରଳର ନୂଆ ମୁଖ୍ୟମନ୍ତ୍ରୀ…..
ପ୍ରଧାନମନ୍ତ୍ରୀ ପଦ ଛାଡ଼ିବେ ଷ୍ଟାର୍ମର !…..