Report Card Odisha

| Daily Odia News

ରାଜଧାନୀ କାବୁଲକୁ ଦଖଲ କରିପାରେ ତାଲିବାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବୁଧବାର ଆଫଗାନିସ୍ତାନର ଆଉ ତିନିଟି ପ୍ରଦେଶକୁ ନିଜ କବଜାକୁ ନେଇଛି ତାଲିବାନ। ଦକ୍ଷିଣ-ପଶ୍ଚିମ ପ୍ରଦେଶ ଫାରହା ସହିତ ବାଦାଖସାନ୍‌ ଓ ବାଘଲାନ୍‌ ପ୍ରଦେଶ ସେମାନଙ୍କ ନିୟନ୍ତ୍ରଣକୁ ଆସିଛି। ତାଲିବାନ ଆତଙ୍କବାଦୀ କୁନ୍ଦୁଜ ପ୍ରଦେଶ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ମଧ୍ୟ ଦଖଲ କରିଛନ୍ତି। ଉତ୍ତର ଆଫଗାନର ପ୍ରମୁଖ ପ୍ରଦେଶ ବଦଖାସନର ରାଜଧାନୀ ଫଇଜାବାଦ ଦଖଲ କରିବା ଦ୍ବାରା ତାଲିବାନକୁ ବଡ଼ ସଫଳତା ମିଳିଛି। ଏହି ପ୍ରଦେଶ ତାଜାକିସ୍ତାନ, ପାକିସ୍ତାନ ଓ ଚୀନ ସୀମାରେ ରହିଛି। ସପ୍ତାହକ ମଧ୍ୟରେ ସେମାନେ ୬ଟି ପ୍ରଦେଶ ଅକ୍ତିଆର କରିଛନ୍ତି। ଏହାକୁ ମିଶାଇ ସେମାନେ ମୋଟ ୩୪ଟି ପ୍ରଦେଶ ମଧ୍ୟରୁ ୯ଟିକୁ ନିଜ ଦଖଲକୁ ନେଇ ସାରିଲେଣି। ଏଭଳି ସ୍ଥିତିରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସ୍ରଫ ଘନି ବୁଧବାର ଉତ୍ତରାଞ୍ଚଳର ପ୍ରମୁଖ ସହର ମଜାର-ଇ-ସରିଫ ଗସ୍ତ କରିଛନ୍ତି। ସେଠାକାର ପୁରୁଣା ପ୍ରଭାବଶାଳୀ ଆଫଗାନ୍‌ ନେତା ଅଟ୍ଟା ମହମ୍ମଦ ନୁର୍‌ ଓ ଯୁଦ୍ଧଖୋର୍‌ ଅବଦୁଲ ରଶିଦ ଦସ୍ତୁନଙ୍କୁ ସାକ୍ଷାତ୍‌ କରି ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ଏହି ଅବସରରେ ସେ ପାକିସ୍ତାନ ତାଲିବାନକୁ ସମର୍ଥନ କରୁଥିବାରୁ ଏହା ବନ୍ଦ ପାଇଁ ଏହି ରାଷ୍ଟ୍ର ଉପରେ ଚାପ ପକାଇବାକୁ ଆମେରିକାକୁ ନିବେଦନ କରିଛନ୍ତି। ତାଲିବାନ୍‌ ଯେଉଁ ମାତ୍ରାରେ ଆଗକୁ ମାଡ଼ି ଚାଲିଛି ତାହାକୁ ଲକ୍ଷ୍ୟକରି ଆମେରିକା ପକ୍ଷରୁ କୁହାଯାଇଛି ଯେ ସାମ୍ପ୍ରତିକ ପରିସ୍ଥିତିରେ ରକ୍ତମୁଖା ଆତଙ୍କବାଦୀଙ୍କୁ ରୋକିବା ସମ୍ଭବପର ମନେ ହେଉ ନାହିଁ। ସେମାନେ ହୁଏତ ଆସନ୍ତା ଦୁଇରୁ ତିନି ମାସ ମଧ୍ୟରେ ରାଜଧାନୀ କାବୁଲ ଦଖଲ କରିନେଇପାରନ୍ତି। ଏହା ସତ୍ତ୍ବେ ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ଶେଷ ହେବା ଉପରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ଗୁରୁତ୍ବାରୋପ କରୁଥିବା ହ୍ବାଇଟ୍‌ ହାଉସ୍‌ର ଜଣେ ଅଧିକାରୀ କହିଛନ୍ତି। ପୂର୍ବରୁ ଆମେରିକା ସେନା ଅନୁମାନ କରିଥିଲା ଯେ ସୈନ୍ୟ ପ୍ରତ୍ୟାହାରର ୬ରୁ ୧୨ ମାସ ମଧ୍ୟରେ ତାଲିବାନ କାବୁଲ ଦଖଲ କରିପାରନ୍ତି; କିନ୍ତୁ ଏହା ଏବେ ଭୁଲ୍‌ ସାବ୍ୟସ୍ତ ହେବାକୁ ଯାଉଥିବା ସେ କହିଛନ୍ତି। ଅପରପକ୍ଷରେ ବାଇଡେନ ଆଫଗାନ ନେତାଙ୍କୁ ଲଢେଇ ଜାରି ରଖିବାକୁ କହିଛନ୍ତି। ସେନା ପ୍ରତ୍ୟାହାର ନିଷ୍ପତ୍ତିକୁ ନେଇ ସେ ପଶ୍ଚାତ୍ତାପ କରୁ ନ ଥିବା କହିଛନ୍ତି।

Breaking News