ରିପୋର୍ଟ କାର୍ଡ / କେନ୍ଦ୍ରାପଡା
କେନ୍ଦ୍ରାପଡାରେ ଉଗ୍ର ରୂପ ନେଉଛି ଖରସ୍ରୋତା ପ୍ରକଳ୍ପ ବିବାଦ | ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ପ୍ରତିବାଦ ତେଜିବାରେ ଲାଗିଛି । ଖରସ୍ରୋତା ପ୍ରକଳ୍ପକୁ ବିରୋଧ କରୁଥିବା ଲୋକଙ୍କ ସହିତ ପୋଲିସ ମୁହାଁମୁହିଁ ହୋଇଛି। ରାଜକନିକାର ଭାରିଗଦାରେ ଏହି ମେଗା ପାନୀୟ ଜଳ ପ୍ରକଳ୍ପ ହେବାର ପ୍ରସ୍ତାବ ଅଛି। କିନ୍ତୁ ଏହାକୁ କେତେକ ଲୋକ ଜୋରଦାର ବିରୋଧ କରୁଛନ୍ତି। ପ୍ରକଳ୍ପକୁ ବିରୋଧ କରୁତିବା ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଆଜି ବିକ୍ଷୋଭ ପାଇଁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୋଲିସ। ଏହାକୁ ନେଇ ଦୁଇ ପକ୍ଷ ଏକ ପ୍ରକାର ମୁହାଁମୁହିଁ ହୋଇଥିଲେ। କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ପୋଲିସର ବ୍ୟାରିକେଡକୁ ଆନ୍ଦୋଳନକାରୀମାନେ ଭାଙ୍ଗି ଦେଇଥିବା ସୂଚନା ମିଳିଛି। ଜୀବନ ଦେବୁ ପଛେ ଖରସ୍ରୋତା ପାଣି ଛାଡିବୁ ନାହିଁ । କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ମେଗା ପାନୀୟ ଜଳ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ ତେଜିଛି । ସ୍ଥାନୀୟ ଅଂଚଳରେ ୧୪୪ ଧାରି ଜାରି କରି ଜିଲ୍ଲା ପ୍ରଶାସନ କାମ ଆରମ୍ଭ କରୁଥିବା ବେଳେ ବ୍ୟାପକ ବିରୋଧର ସାମ୍ନା କରିବାକୁ ପଡିଛି । ପ୍ରକଳ୍ପ କାମକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ତିନିଟି ପଞ୍ଚାୟତର ଲୋକ । ରାସ୍ତା ଉପରେ ଟାୟାର ଜାଳି ଜୁନ୍ ୧୦ରେ ପ୍ରତିବାଦ କରିଥିଲେ ସ୍ଥାନୀୟ ଲୋକେ । ସେପଟେ ଫୋର୍ସ ମୁତୟନ ସହ କାମ ଜାରି ରଖିଛି ପ୍ରଶାସନ । ସୂଚନା ଅନୁସାରେ- ଏହି ପ୍ରକଳ୍ପ ଜରିଆରେ ଭଦ୍ରକର ୪ଟି ବ୍ଳକ୍ ବାସୁଦେବପୁର, ଚାନ୍ଦବାଲି, ତିହିଡି ଏବଂ ଧାମନଗରକୁ ପିଇବା ପାଣି ଯୋଗାଇ ଦିଆଯିବ । ପ୍ରକଳ୍ପ ପାଇଁ ୨ ବର୍ଷ ତଳୁ ଟେଣ୍ଡର ହୋଇସାରିଲାଣି । ତେବେ ଇଞ୍ଚେ କାମ ବି ଆରମ୍ଭ ହୋଇପାରିନି । ଧାରଣା, ମାନବ ଶୃଙ୍ଖଳ ଏବଂ ମଶାଲ ଶୋଭାଯାତ୍ରା କରି ପ୍ରକଳ୍ପକୁ ଲଗାତର ବିରୋଧ କରିଆସୁଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି । ପ୍ରକଳ୍ପ ହେଲେ ସ୍ଥାନୀୟ ଅଂଚଳରେ ନଦୀ ଶୁଖିଯିବ ଏବଂ ଲୁଣା ପାଣି ମାଡିଆସିବ । ଫଳରେ ଚାଷ କାମ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି ।






More Stories
ଭାଜପା ଛାଡିଲେ ଶେହଜାଦ ପୁନାୱାଲା…..
ବାପାର ଜୀବନ ନେଲା ପୁଅ…..
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା: ଜେଲ୍ ଗଲେ ସଂଗ୍ରାମ କେଶରୀ ବେହେରା…..