ରିପୋର୍ଟ କାର୍ଡ / ପାରଳାଖେମୁଣ୍ଡି
ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି | ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ଏଥିପାଇଁ କ୍ରାଇମବ୍ରାଞ୍ଚ ଡିଏସ୍ପିଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଗଠନ ହୋଇଛି । ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ମାସେ ପୂରିଥିଲେ ବି ଏଯାଏ ମୃତ୍ୟୁ ଉପରୁ ପରଦା ହଟିନି । ସୌମ୍ୟଙ୍କ ଦେହରେ ନିଆଁ ଲାଗି ସେ ମୃତ୍ୟୁବରଣ କରିଥିବା ସ୍ପଷ୍ଟ ହୋଇଥିଲେ ବି ଏଯାଏ ଜଣାପଡିନି କେମିତି ଦେହରେ ନିଆଁ ଲାଗିଲା । ଏହା ଏକ ଦୁର୍ଘଟଣା ନା ଆତ୍ମହତ୍ୟା କୌଣସି ନିଷ୍କର୍ଷରେ ପହଞ୍ଚି ପାରିନଥିଲା ଗଜପତି ପୋଲିସ । ଦୀର୍ଘ ୧ ମାସ ଧରି ଖୋଳତାଡ ପରେ ପୋଲିସର ହାତ ଖାଲି । ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ ସୌମ୍ୟଙ୍କ ପରିବାର ଲୋକ । ଚାରି ଚାରିଟି ଜିଲ୍ଲାରେ ପୋଲିସ ତଦନ୍ତ କଲା । ସମସ୍ତ ତଥ୍ୟ ଓ ସାକ୍ଷ୍ୟ ପ୍ରମାଣ ଯୋଗଡ଼ ପରେ ବି ପୋଲିସର ହାତ ଖାଲି | ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଉପରେ କେନ୍ଦ୍ରୀଭୂତ ରହିଥିଲା ପୋଲିସ ତଦନ୍ତ । ଏହି ଘଟଣାରେ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ସୌମ୍ୟଙ୍କ ବାପା ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ନେଇ ଏତଲା ଦେଇଥିଲେ । ପୋଲିସ ତଦନ୍ତରେ ଶିଥିଳତା ପରେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରୁଥିଲେ ସୌମ୍ୟଙ୍କ ପରିବାର ଲୋକ । ଗମ୍ଭୀରତା ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଏବେ ମାମଲା କ୍ରାଇମବ୍ରାଞ୍ଚକୁ ଦିଆଯାଇଛି ।
More Stories
ଯାତ୍ରୀଙ୍କୁ ଚାପୁଡା ମାରିଲେ ଆମ ବସ୍ କଣ୍ଡକ୍ଟର…..
କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ…..
ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ……