ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁରୁବାର ରାତିରେ ଆସାମର ଡିମା ହାସାଓ ଜିଲ୍ଲାରେ ଉଗ୍ରବାଦୀମାନେ ୭ଟି ଟ୍ରକ୍ ଉପରକୁ ଗୁଳି କରିବା ପରେ ନିଆଁ ଲଗାଇ ଦେଇଛନ୍ତି | ଏଥରେ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ପୋଲିସ କହିଛି, ରାତି ପ୍ରାୟ ୮.୩୦ ସମୟରେ ଦଳେ ସଶସ୍ତ୍ର ବ୍ୟକ୍ତି ଟ୍ରକ୍ଗୁଡ଼ିକୁ ଅଟକାଇ ଗୁଳି ଚଳାଇଥିଲେ। ସେଥିରୁ ୬ଟି ଟ୍ରକ୍ରେ ସିମେଣ୍ଟ୍ ଏବଂ ଗୋଟିଏ ଟ୍ରକ୍ରେ କୋଇଲା ଯାଉଥିଲା। ଡିମା ହାସାଓ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଜୟନ୍ତ ସିଂହ କହିଛନ୍ତି, କିଛି ସମୟ ପାଇଁ ଟ୍ରକ୍ ଉପରକୁ ଗୁଳି ଚଳାଇବା ପରେ ସେଥିରେ ନିଆଁ ଲଗାଇ ଦେଇଥିଲେ। ଘଟଣାରେ ୫ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ଜଣେ ଆହତ ହୋଇଛନ୍ତି। ମୃତାହତମାନେ ହେଉଛନ୍ତି ଉକ୍ତ ଟ୍ରକଗୁଡ଼ିକର ଡ୍ରାଇଭର୍ ଓ ହେଲ୍ପର୍। ଉପରୋକ୍ତ ଆକ୍ରମଣରେ ‘ଡିମାସା ନ୍ୟାସ୍ନାଲ୍ ଲିବରେସନ୍ ଆର୍ମି’ (ଡିଏନ୍ଏଲ୍ଏ) ଜଡ଼ିତ ଥିବା କଥା ସରକାରୀ ଅଧିକାରୀମାନେ ସନ୍ଦେହ କରୁଛନ୍ତି। ‘ଡିଏନ୍ଏଲ୍ଏ’କୁ ବଟି ବାବଦ ଅର୍ଥ ଦେବାକୁ ଗୋଟାଏ ସିମେଣ୍ଟ୍ କାରଖାନା ମନା କରିଦେଇଥିବାରୁ ଏଭଳି କାଣ୍ଡ ଘଟାଯାଇଥିବା ସନ୍ଦେହ କରାଯାଉଛି। ସିଂହ କହିଛନ୍ତି, ଘଟଣା ଘଟିବା ପରେ ପରେ ତୁରନ୍ତ ଅତିରିକ୍ତ ନିରାପତ୍ତା ବଳ ସେଠାକୁ ଯାଇଛନ୍ତି। ଘଟଣାରେ ଜଡ଼ିତ ଥିବା ବ୍ୟକ୍ତିବିଶେଷଙ୍କୁ ଧରିବା ଲାଗି ‘କମ୍ବିଙ୍ଗ୍ ଅପରେସନ୍’ ଚାଲିଛି। ୨୦୧୯ ଏପ୍ରିଲ୍ରେ ଗଠିତ ‘ଡିଏନ୍ଏଲ୍ଏ’ ସଶସ୍ତ୍ର ସଂଗ୍ରାମ ଜରିଆରେ ଡିମାସା ସମ୍ପ୍ରଦାୟ ପାଇଁ ସ୍ବାଧୀନ ରାଷ୍ଟ୍ର ଗଠନ କରିବାକୁ ଚାହୁଁଛି। ଗତ ମାସମାନଙ୍କରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ଉକ୍ତ ସଙ୍ଗଠନର ସଦସ୍ୟମାନେ ନିହତ ହେବା ସହ ଅନ୍ୟ କେତେକ ଆତ୍ମସମର୍ପଣ କରିଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..