ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନରେ ଘଟୁଥିବା ଦ୍ରୁତ ରାଜନୈତିକ, କୂଟନୈତିକ, ସାମରିକ ପରିବର୍ତ୍ତନ ଉପରେ ଋୁଷ ନିରାପତ୍ତା ପରିଷଦର ସଚିବ ନିକୋଲାଇ ପାତ୍ରୁସେଭ ଏବଂ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭଲଙ୍କ ମଧ୍ୟରେ ଏଠାରେ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ପକ୍ଷ ଆଫଗାନିସ୍ତାନରେ ସାଂପ୍ରତିକ ରାଜନୈତିକ, ନିରାପତ୍ତା ଏବଂ ମାନବୀୟ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିବା ସୂଚନା ମିଳିଛି। ଆଫଗାନିସ୍ତାନରେ ଭାରତ ଓ ରୁଷ ମଧ୍ୟରେ ରାଜନୈତିକ-ନିରାପତ୍ତା ସହଯୋଗ ନେଇ ଆଗ୍ରହ, ଗୁରୁତ୍ୱ ଏବଂ ସେହି ସମ୍ଭାବନାରେ ଉଲ୍ଲେଖନୀୟ ବୃଦ୍ଧି ସମ୍ଭାବନାକୁ ଏହି ଆଲୋଚନା ପ୍ରତିଫଳିତ କରିଥିବା ସରକାରୀ ସୂତ୍ରରୁ କୁହାଯାଇଛି। ଜଣାଯାଇଛି ଯେ ଉଭୟ ପକ୍ଷ ଜୈଶ ଇ ମହମ୍ମଦ ଏବଂ ଲସ୍କର ଇ ତଏବା ଭଳି ଆତଙ୍କବାଦୀ ସଂଗଠନଗୁଡିକର କାର୍ଯ୍ୟକଳାପ ସମ୍ପର୍କରେ ସମୀକ୍ଷା କରିବା ସହିତ ଆଫଗାନିସ୍ତାନକୁ ସଙ୍କଟ ସମୟରେ ସହଯୋଗ କରିବାକୁ ମସ୍କୋ ଓ ନୂଆଦିଲ୍ଲୀ ମଧ୍ୟରେ ସମ୍ଭାବ୍ୟ ସହଯୋଗ ଉପରେ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ ନିକଟରେ ରୁଷର ଦୂତ ନିକୋଲେ କୁଦାଶେଭ କହିଥିଲେ ଯେ ଆଫଗାନିସ୍ତାନରେ ଅସ୍ଥିର ପରିସ୍ଥିତି ରୁଷ ଓ କାଶ୍ମୀରରେ ଆତଙ୍କବାର ପ୍ରସାର ଘଟାଇବା ଆଶଙ୍କା ରହିଛି। ଏହା ପୂର୍ବରୁ ଆମେରିକୀୟ ଗୁଇନ୍ଦା ସଂସ୍ଥାର ମୁଖ୍ୟ ବିଲ୍ ବର୍ନସ ଭାରତ ଗସ୍ତରେ ଆସି ଏନଏସଏ ଅଜିତ ଡୋଭଲଙ୍କ ସହିତ ଏହି ଅଞ୍ଚଳର ସୁରକ୍ଷା ଏବଂ ସ୍ଥିରତା ସମ୍ପର୍କରେ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନ ଘଟଣାକ୍ରମରେ ପାକିସ୍ତାନର ସିଧାସଳଖ ସଂପୃକ୍ତି ଏବଂ ଚୀନ ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)ରେ ସାମିଲ ହେବାକୁ ତାଲିବାନର ଆଗ୍ରହ ଭାରତ ପାଇଁ ରାଜନୈତିକ-କୂଟନୈତିକ ସ୍ତରରେ ବିପଦର କାରଣ ହେବାକୁ ଯାଉଛି |






More Stories
ଧର୍ମେନ୍ଦ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ……
ୟୁକ୍ରେନ ଉପରେ ରୁଷ୍ର ଆକ୍ରମଣ, ୩୩ ମୃତ…..
ଦିଲ୍ଲୀ ପ୍ରଦୂଷଣ ବିରୋଧରେ ବିକ୍ଷୋଭ,:ପୋଲିସର ବଡ କାର୍ଯ୍ୟାନୁଷ୍ଠାନ…..