ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସମୟ ଥିଲା, ଭାରତ ପ୍ରତିରକ୍ଷା ସାମଗ୍ରୀର ଟିକିନିଖି ପାଇଁ ବିଦେଶୀ ରାଷ୍ଟ୍ରଗୁଡିକ ଉପରେ ନିର୍ଭର କରୁଥିଲା। ଏବେ ସେ ସମୟ ଆଉ ନାହିଁ। ଦେଶରେ ଏବେ ଅତ୍ୟାଧୁନିକ ଗ୍ରେନେଡ, ମେସିନ ଗନ ଠାରୁ ଆରମ୍ଭ କରି ଲଢୁଆ ବିମାନ, ଡ୍ରୋନ ଏବଂ ଯୁଦ୍ଧ ଜାହାଜ ପର୍ଯ୍ୟନ୍ତ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରାଯାଉଛି। ପ୍ରତିରକ୍ଷା ସାମଗ୍ରୀର ଏକ ପ୍ରମୁଖ ଆମଦାନୀକାରୀ ରାଷ୍ଟ୍ରରୁ ଭାରତ ଏବେ ଏକ ରପ୍ତାନିକାରୀ ହେବା ପଥରେ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏଠାରେ ରାଜା ମହେନ୍ଦ୍ର ପ୍ରତାପ ସିଂ ରାଜ୍ୟ ବିଶ୍ୱବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାପରେ ଉପସ୍ଥିତ ଜନସମାବେଶକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ରାଜା ମହେନ୍ଦ୍ର ପ୍ରତାପ ସିଂହ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ ଏବଂ ସମାଜ ସଂସ୍କାରକ ଥିଲେ। ତାଙ୍କ ସ୍ମୃତିରେ ଏହି ବିଶ୍ୱବିଦ୍ୟାଳୟ ଆଲିଗଡର କୋଲ ତହସିଲ ଅନ୍ତର୍ଗତ ଲୋଧା ଓ ମୁସିପୁର କରିମ ଜାରୁଲି ଗ୍ରାମରେ ୯୨ ଏକର ଜମି ଉପରେ ସ୍ଥାପନ କରାଯିବ। ଏହା ଆଲିଗଡ ଡିଭିଜନର ୩୯୫ ମହାବିଦ୍ୟାଳୟକୁ ସହବନ୍ଧନ ପ୍ରଦାନ କରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶରେ ତାଙ୍କଦ୍ୱାରା ୨୦୧୮ରେ ନିବେଶକ ସମ୍ମିଳନୀ ଅବସରରେ ଘୋଷଣା କରାଯାଇଥିବା ପ୍ରତିରକ୍ଷା ଶିଳ୍ପ କରିଡର ସମ୍ପର୍କରେ ପ୍ରକାଶ କରିଥିଲେ। ସେ କହିଥିଲେ, ଏହି କରିଡରରେ ୬ଟି କେନ୍ଦ୍ରସ୍ଥଳ ରହିବ। ସେଗୁଡିକ ହେଉଛି ଆଲିଗଡ, ଆଗ୍ରା, କାନପୁର, ଚିତ୍ରକୂଟ, ଝାନସି ଏବଂ ଲଖନଉ। ଆଲିଗଡ କେନ୍ଦ୍ର ପାଇଁ ଜମି ଆବଣ୍ଟନ ପ୍ରକ୍ର୍ରିୟା ଶେଷ ହୋଇଛି ଏବଂ ୧୯ଟି ସଂସ୍ଥାକୁ ଜମି ଯୋଗାଇ ଦିଆଯାଇଛି। ଉକ୍ତ କମ୍ପାନୀଗୁଡିକ ସେଠାରେ ୧୨୪୫ କୋଟି ଟଙ୍କା ନିବେଶ କରିବେ। ଉତ୍ତରପ୍ରଦେଶରେ ସ୍ଥାପନ କରାଯାଉଥିବା ପ୍ରତିରକ୍ଷା ଶିଳ୍ପ କରିଡର ଦେଶକୁ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ସହିତ ‘ମେକ ଇନ ଇଣ୍ଡିଆ’ ଅଭିଯାନକୁ ପ୍ରୋତ୍ସାହିତ କରିବ। ଭାରତ ଏକ ପ୍ରମୁଖ ପ୍ରତିରକ୍ଷା ସାମଗ୍ରୀ ରପ୍ତାନିକାରୀ ଭାବରେ ନିଜର ନୂଆ ପରିଚୟ ସୃଷ୍ଟି କରିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ସେ ଦିବଂଗତ ନେତା କଲ୍ୟାଣ ସିଂହଙ୍କର ସ୍ମୃତିଚାରଣ କରିବା ସହିତ ତାଙ୍କର ଅନୁପସ୍ଥିତିକୁ ଅନୁଭବ କରୁଥିବା କହିଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ।






More Stories
ହିମସ୍ଖଳନ; ୧୨ ପର୍ବତାରୋହୀ ମୃତ, ୬ ନିଖୋଜ…..
୧୧ରେ ମୋଦି-ପୁଟିନ୍ ଦ୍ୱିପାକ୍ଷିକ ଆଲୋଚନା…..
ବାନ୍ଧବୀଙ୍କୁ ଗାଡ଼ି ଚଢାଇ ମାରିଦେଲେ!…..