ରିପୋର୍ଟ କାର୍ଡ / ଭୁବନେଶ୍ୱର
ପିପିଲି ଉପନିର୍ବାଚନକୁ ଆଉ ଦିନ କେଇଟା । ନିର୍ବାଚନୀ ପ୍ରଚାରରେ କମ୍ପୁଛି ପିପିଲି । ପୂର୍ବଭଳି ପିପିଲି ଉପନିର୍ବାଚନରେ ସେଭଳି ତାତି ନ ଥିଲେ ବି ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପିର ତୁଙ୍ଗ ନେତାମାନେ ପିପିଲିରେ ଡେରା ପକାଇବା ଆରମ୍ଭ କରିଛନ୍ତି। ଗତକାଲିଠାରୁ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଥିବାବେଳେ ବିଭିନ୍ନ ଦଳର ମନ୍ତ୍ରୀ, ବିଧାୟକ, ବରିଷ୍ଠ ନେତମାନେ ପ୍ରଚାରକୁ ଓହ୍ଲାଇବା ସହ ପ୍ରଚାରକୁ ଜୋରଦାର କରିଛନ୍ତି। ରାଜ୍ୟ ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶକ୍ରମେ ସେପ୍ଟେମ୍ବର ୨୧ରୁ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଥିବାବେଳେ ସେପ୍ଟେମ୍ବର ୨୮ ପ୍ରଚାର ଶେଷ ହେବ। ଏଥିପାଇଁ ବିଜେଡି, ବିଜେପି ଓ କଂଗ୍ରେସର ଷ୍ଟାର ପ୍ରଚାରକମାନେ ପିପିଲି ଓ ଡେଲାଙ୍ଗର ବିଭିନ୍ନ ଅଞ୍ଚଳ ବୁଲି ପ୍ରାର୍ଥୀଙ୍କ ପାଇଁ ଭୋଟଭିକ୍ଷା କରିଛନ୍ତି। ଗାଁ ଗାଁ ବୁଲି ଭୋଟରଙ୍କ ଆଶୀର୍ବାଦ ନେଉଛନ୍ତି। କଂଗ୍ରେସର ହେଭିୱେଟ୍ ନେତାମାନେ ଏବେ ପିପିଲି ନିର୍ବାଚନମଣ୍ଡଳୀରେ ଡେରା ପକାଇବା ସହ ପ୍ରଚାରକୁ ଜୋରଦାର କରିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଡେଲାଙ୍ଗର ବିଭିନ୍ନ ଅଞ୍ଚଳ ବୁଲି ଦଳୀୟ ପ୍ରାର୍ଥୀ ବିଶ୍ବକେଶନ ପ୍ରସାଦ ହରିଚନ୍ଦନଙ୍କ ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ, ଉମାବଲ୍ଲଭ ରଥ ବି ଡେଲାଙ୍ଗର ବିଭିନ୍ନ ପଞ୍ଚାୟତ ବୁଲିଛନ୍ତି। ଆଜି ବିଭିନ୍ନ ପଞ୍ଚାୟତର ୫ଜଣ ପ୍ରତିନିଧିଙ୍କୁ ଡାକି ଦଳୀୟ ବୈଠକ କରିବା ସହ ପ୍ରତି ପଞ୍ଚାୟତରେ ସଂଗଠନକୁ ସୁଦୃଢ଼ କରିବାକୁ ଗୁରୁମନ୍ତ୍ର ଦେଇଛନ୍ତି। ବୁଥ୍ସ୍ତରରୁ ଦଳର ସମର୍ଥନ ଯୋଗାଡ଼ରେ ଲାଗି ପଡ଼ିବାକୁ ପରାମର୍ଶ ଦେଇଛନ୍ତି। ସେପଟେ ବିଜେଡି ପ୍ରାର୍ଥ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ସାଂସଦ ପିନାକୀ ମିଶ୍ର, ମନ୍ତ୍ରୀ ସମୀର ରଂଜନ ଦାଶ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବିଜେଡି ମୁଖପାତ୍ର ଏଲିନା ଦାଶ ବିଭିନ୍ନ ଅଞ୍ଚଳ ବୁଲି ପ୍ରଚାର କରିଛନ୍ତି। ପିପିଲି ଏନଏସି ସହ କଣ୍ଟି ଓ ଆଖପାଖ ପଞ୍ଚାୟତରେ ବୈଠକ କରି ଦଳୀୟ ସଂଗଠନ ଉପରେ ଆଲୋଚନା କରିଛନ୍ତି। ସେହିପରି ମଙ୍ଗଳବାର ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡା, ସମ୍ବିତ ପାତ୍ର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ପିପିଲି ଏନ୍ଏସିର ୧୧, ୧୨ ଓ ୧୩ ନମ୍ବର ଓାର୍ଡରେ ଘରକୁ ଘର ବୁଲି ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ଅନୁରୋଧ କରିଛନ୍ତି।






More Stories
ବିଜେଡିରୁ ଅରବିନ୍ଦ ନିଲମ୍ବନ:ଉତ୍ତର ରଖିଲେ ବାପା…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..