ରିପୋର୍ଟ କାର୍ଡ / ଭୁବନେଶ୍ବର
ଯୋବ୍ରା ବ୍ୟାରେଜରୁ ଏକ ହାତୀର ମୃତଦେହ ଠାବ ହୋଇଛି। ମୁଣ୍ଡଳିରେ ଫସି ରହିଥିବା ହାତୀ ଭାସି ଆସିଥିବା ସନ୍ଦେହ କରାଯାଉଛି । ହାତୀର ଗୋଡ଼ ଗେଟରେ ଲାଖି ରହିଥିବା ଦେଖିବାକୁ ମିଳିଛି । ତେବେ ମୁଣ୍ଡଳି ବ୍ୟାରେଜରୁ ହାତୀଟି ଭାସି ଆସିଛି କି ନାହିଁ କିଛି ସ୍ପଷ୍ଟ ହୋଇନାହିଁ । ବନବିଭାଗ ପକ୍ଷରୁ ମୃତ ହାତୀ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ । ବର୍ତ୍ତମାନ ହାତୀର ମୃତଦେହ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଶୁକ୍ରବାର ଦିନ ମୁଣ୍ଡଳିରେ ଏକ ହାତୀ ଅନେକ ସମୟ ଧରି ଫସି ରହିଥିଲା । ଜୀବନ ବଞ୍ଚାଇବା ପାଇଁ ଘଣ୍ଟା ଘଣ୍ଟା ଧରି ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା । ଆଉ ହାତୀକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ୍ ଟିମ୍ର ଏକ ବୋଟ୍ ଓଲଟି ପଡ଼ିଥିଲା । ବୋଟ୍ ଓଲଟି ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁ ଓ ରିପୋର୍ଟର ଅରିନ୍ଦମ ଦାସଙ୍କର ମୃତ୍ୟୁ ହୋଇଥିଲା । ସେହିଦିନ ରାତିରେ ବନବିଭାଗ ନିଆଁ ଦେଖାଇ ହାତୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲେ । ମହାନଦୀର ମୁଣ୍ଡଳିଠାରେ ଦୀର୍ଘ ଘଣ୍ଟା ଜୀବନ ସହ ସଂଘର୍ଷ ପରେ ହାତୀଟି ବ୍ରିଜ୍ ତଳକୁ ଭାସି ଯାଇଥିଲା । ଗତକାଲି ମଧ୍ୟ କଟକ ମୁଣ୍ଡଳି ବ୍ରିଜ ଉପରମୁଣ୍ଡରେ ଥିବା ମହାନଦୀ ପଠାରୁ ୪ ମାସର ହାତୀ ଛୁଆର ମୃତଦେହ ଉଦ୍ଧାର କରିଥିଲା ବନବିଭାଗ । ଆଠଗଡ ଡିଏଫଓଙ୍କ ସହ ରେଞ୍ଜର ଓ ପ୍ରାଣୀ ଚିକିତ୍ସକ ଦେଶୀ ଡଙ୍ଗାରେ ନଦୀ ପାର ହୋଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ହାତୀଛୁଆର ଶବ ବ୍ୟବଚ୍ଛେଦ କରାଯାଇ ପୋତା ଯାଇଥିବା ନେଇ ସୂଚନା ମିଳିଥିଲା ।






More Stories
ସଚିବସ୍ତରୀୟ ବୈଠକ ପରେ ମୁଖ୍ୟ ସଚିବଙ୍କ ବଡ଼ ସୂଚନା…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ବନ୍ଧା ହେଲେ ନକଲି ଡାକ୍ତର…..