ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ‘ଆୟୁଷ୍ମାନ୍ ଭାରତ ଡିଜିଟାଲ୍ ମିସନ୍’ର ଶୁଭାରମ୍ଭ କରିଛନ୍ତି। ଏହି ମିସନ୍ ଅଧୀନରେ ଜନସାଧାରଣଙ୍କୁ ନିଜ ସ୍ବାସ୍ଥ୍ୟ ସୂଚନା ରେକର୍ଡ ଥିବା ଏକ ‘ୟୁନିକ୍ ଡିଜିଟାଲ୍ ହେଲ୍ଥ୍ ଆଇଡି’ ଯୋଗାଇ ଦିଆଯିବ। ୨୦୨୦ ଅଗଷ୍ଟ ୧୫ ତାରିଖରେ ଲାଲ୍ କିଲ୍ଲା ପ୍ରାଚୀର ଉପରୁ ପ୍ରଧାନମନ୍ତ୍ରୀ ‘ଜାତୀୟ ଡିଜିଟାଲ୍ ସ୍ବାସ୍ଥ୍ୟ ମିସନ୍’ର ଏହି ‘ପାଇଲଟ୍ ପ୍ରୋଜେକ୍ଟ୍’ କଥା ଘୋଷଣା କରିଥିଲେ। ଦେଶର ଡିଜିଟାଲ୍ ଉପକ୍ରମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ, ଆଜି ଦିନକ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଗତ ୭ ବର୍ଷ ହେବ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଅଭିଯାନ ଆଜି ଗୋଟାଏ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି। ଏହା ଗୋଟାଏ ସାଧାରଣ ପର୍ଯ୍ୟାୟ ନୁହେଁ। ସମ୍ପ୍ରତି ଏହି ପ୍ରକଳ୍ପ ୬ଟି କେନ୍ଦ୍ରଶାସିତ ଅଞ୍ଚଳରେ ‘ପାଇଲଟ୍ ପର୍ଯ୍ୟାୟ’ରେ ପ୍ରବର୍ତ୍ତନ କରାଯାଉଛି। ‘ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ’ (ଏନ୍ଏଚ୍ଏ) ଦେଶବ୍ୟାପୀ ‘ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ର (ଏବି ପିଏମ୍-ଜେଏୱାଇ) ତୃତୀୟ ବାର୍ଷିକୀ ପାଳନ କରୁଥିବା ବେଳେ ‘ଆୟୁଷ୍ମାନ୍ ଭାରତ ଡିଜିଟାଲ୍ ମିସନ୍’ର ଶୁଭାରମ୍ଭ ହୋଇଛି। ୧୪ ଅଙ୍କବିଶିଷ୍ଟ ଏହି ପରିଚୟପତ୍ର ନାଗରିକମାନଙ୍କ ସ୍ବାସ୍ଥ୍ୟ ଆକାଉଣ୍ଟ୍ ଭାବେ ମଧ୍ୟ କାମ କରିବ। ଏହି ଆକାଉଣ୍ଟ୍ରେ ପ୍ରତ୍ୟେକ ପରୀକ୍ଷା, ପ୍ରତ୍ୟେକ ରୋଗ, ଦେଖାଇଥିବା ଡାକ୍ତର, ଖାଇଥିବା ଔଷଧ ଏବଂ ନିଦାନ ଆଦିର ସବିଶେଷ ବିବରଣୀ ରହିବ। ନେବା ଆଣିବା ଓ ସହଜ ଉନ୍ମୁକ୍ତି ପାଇଁ ସୁବିଧାଜନକ ହୋଇଥିବାରୁ ରୋଗୀ ନୂଆ ସ୍ଥାନ କିଂବା ନୂଆ ଡାକ୍ତରଙ୍କୁ ଦେଖାଇବାକୁ ଗଲେ ଏହି କାର୍ଡରେ ଥିବା ସୂଚନା ଖୁବ୍ କାମରେ ଆସିବ। ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମ୍ଣଡାବିୟା ମଧ୍ୟ ଉପସ୍ଥିତ ଥିଲେ।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..