ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସର ହାତ ଧରିଲେ ଜେଏନୟୁର ପୂର୍ବତନ ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର ଏବଂ ଗୁଜରାଟର ବିଧାୟକ ଜିଗ୍ନେଶ ମେଓ୍ଵାଣୀ | କହ୍ନେୟା କୁମାରଙ୍କ ଦୀର୍ଘ ସମୟ ଧରି କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା ଜାରି ରହିଥିଲା। ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କହ୍ନେୟା ଓ ଜିଗ୍ନେଶ ପାର୍ଟି ସଦସ୍ୟତା ଗ୍ରହଣ କରିଛନ୍ତି।
ଏହା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ସହିତ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ ସହିଦ ଏ ଆଜମ ଭଗତ ସିଂହ ପାର୍କରେ ଉପସ୍ଥିତ ଥିଲେ। ଉଭୟଙ୍କ କଂଗ୍ରେସରେ ସାମିଲ୍ ନେଇ ପାର୍ଟିର ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି, ଆମେ ଏହି ଦୁଇ ଯୁବ ନେତାଙ୍କ ସହ କାମ କରିବା ନେଇ ଆଶାନ୍ଵିତ ଅଛୁ। ଯଦ୍ଵାରା ଦେଶରେ ଶାସନ କରୁଥିବା ଫାଶୀବାସୀ ଶକ୍ତିକୁ ହରାଇ ପାରିବୁ। କହ୍ନେୟା କୁମାରଙ୍କ ଦୀର୍ଘ ସମୟ ଧରି କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା ଜାରି ରହିଥିଲା। ଶେଷରେ ସେ ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଛନ୍ତି। କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀଙ୍କ ସ୍ଵାଗତ ପାଇଁ ଦିଲ୍ଲୀରେ କଂଗ୍ରେସ ପାର୍ଟି କାର୍ଯ୍ୟାଳୟ ବାହାରେ ମଧ୍ୟ ପୋଷ୍ଟର ଲାଗିଛି। ଏଥିରେ ରାହୁଲ ଗାନ୍ଧୀଙ୍କ ଫଟୋ ମଧ୍ୟ ରହିଛି। ସୂଚନାଯୋଗ୍ୟ, କହ୍ନେୟା କୁମାର ସିପିଆଇ ପକ୍ଷରୁ ଲୋକସଭା ନିର୍ବାଚନ ଲଢିସାରିଛନ୍ତି ଏବଂ ପରାଜିତ ମଧ୍ୟ ହୋଇ ସାରିଛନ୍ତି। ଅନ୍ୟପଟେ ଜିଗ୍ନେଶ ମେଓ୍ଵାଣୀ ଗୁଜରାଟର ନିର୍ଦ୍ଦଳୀୟ ବିଧାୟକ। ମିଶ୍ରଣ ପର୍ବର କାର୍ଯ୍ୟକ୍ରମ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ଦୁଇ ଯୁବ ନେତା। କହ୍ନେୟା କୁମାର କହିଛନ୍ତି, କଂଗ୍ରେସ ବଞ୍ଚିଲେ ଯାଇ ଦେଶ ବଞ୍ଚିବ। ଜିଗ୍ନେଶ ମେଓ୍ଵାଣୀ କହିଛନ୍ତି, ଆଜି ଆମର ସମ୍ବିଧାନ ଓ ଗଣତନ୍ତ୍ର ବିପଦରେ। ଏହାକୁ ଆମକୁ ବଞ୍ଚାଇବାକୁ ପଡିବ।
କହ୍ନେୟା କହିଛନ୍ତି, ମୁଁ ହୃଦବୋଧ କରେ ଯେ, ଏହି ଦେଶରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ କେବଳ ବ୍ୟକ୍ତି ନୁହନ୍ତି ବରଂ ଏକ ବିଚାରଧାରା। ଏହି ଦେଶର ଚିନ୍ତନ, ପରମ୍ପରା, ସଂସ୍କୃତି, ମୂଲ୍ୟବୋଧ, ଇତିହାସ, ବର୍ତ୍ତମାନ ଓ ଭବିଷ୍ୟତକୁ କୁତ୍ସିତ କରିବାକୁ ଉଦ୍ୟମ ଚାଲିଛି। ମୁଁ ପଢିଥିଲି ଯେ, ଆପଣ ନିଜ ଶତ୍ରୁକୁ ଆପଣେଇଲେ, ବନ୍ଧୁତା ଆପେ ଆପେ ହୋଇଯାଏ। ବାସ୍ ମୁଁ ଏହା ହିଁ କରିଛି। ଗଣତାନ୍ତ୍ରିକ ପାର୍ଟିରେ ମୁଁ ଏଥିପାଇଁ ସାମିଲ୍ ହେବାକୁ ଚାହୁଁଥିଲି କାରଣ ଏବେ ଲାଗିଲାଣି ଯେ, ଯଦି କଂଗ୍ରେସ ବଞ୍ଚିବ ନାହିଁ ତେବେ ଦେଶ ମଧ୍ୟ ବଞ୍ଚିବ ନାହିଁ। କହ୍ନେୟା କହିଛନ୍ତି, ଦେଶରେ ବର୍ତ୍ତମାନ ମଧ୍ୟ ପ୍ରଧାନମନ୍ତ୍ରୀ ଅଛନ୍ତି, ପୂର୍ବରୁ ବି ଥିଲେ ଏବଂ ଭବିଷ୍ୟତରେ ମଧ୍ୟ ରହିବେ। ହେଲେ ଆଜି ଆମେ ଯେତେବେଳେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିର ଫର୍ମ ଭରିଲୁ ବନ୍ଧୁ ଜିଗ୍ନେଶ ମଧ୍ୟ ସମ୍ବିଧାନର ପତ୍ର ଦେଇଥିଲେ। ଏଥିସହ ଆମେ ଗାନ୍ଧୀ-ଆମ୍ବେଦକର ଓ ଭଗତ ସିଂହଙ୍କ ଫଟୋ ମଧ୍ୟ ଦେଲୁ। କାରଣ ଆଜି ଏହି ଦେଶକୁ ଭଗତ ସିଂହଙ୍କ ସାହାସ, ଆମ୍ବେଦକରଙ୍କ ସମାନତାର ଏବଂ ଗାନ୍ଧୀଙ୍କ ଏକତାର ଆବଶ୍ୟକତା ରହିଛି। ସେ କହିଛନ୍ତି, ଯଦି ଦେଶର ସବୁଠୁ ବଡ ବିରୋଧୀ ଦଳ ବଞ୍ଚିବ ନାହିଁ, ତେବେ ଦେଶ ମଧ୍ୟ ବଞ୍ଚିବ ନାହିଁ। ବଡ ବଡ ଜାହାଜକୁ ବଞ୍ଚାଯାଇ ନପାରିଲେ ଛୋଟ ଛୋଟ ଡଙ୍ଗା ମଧ୍ୟ ବୁଡିଯିବ। ମୋତେ ଭରସା ଯେ, କଂଗ୍ରେସ ଏକ ଗଣତାନ୍ତ୍ରିକ ଦଳ ହିସାବରେ ସରକାରଙ୍କୁ ପ୍ରଶ୍ନ କରିବା ଏବଂ ଲୋକଙ୍କ ସଂଘର୍ଷ ପାଇଁ ଲଢେଇରେ ଆମର ସମର୍ଥନ ଦେବ ବୋଲି କହ୍ନେୟା କହିଛନ୍ତି।
Discussion about this post