ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ମହାମାରୀ କାରଣରୁ ଅନ୍ତର୍ଜାତୀୟ ଗନ୍ତବ୍ୟରେ ଅନୁସୂଚିତ ବାଣିଜ୍ୟିକ ଉଡ଼ାଣ ପ୍ରତିବନ୍ଧକକୁ ପୁଣି ସମ୍ପ୍ରସାରଣ କରିଛନ୍ତି। ଏ ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ମଙ୍ଗଳବାର ଜାରି କରିଥିବା ନୂଆ ସର୍କୁଲାରରେ ଏହା ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଥିବା ସୂଚିତ କରିଛନ୍ତି। ତେବେ ଅନ୍ତର୍ଜାତୀୟ କାର୍ଗୋ ବିମାନ ଓ ନିୟାମକଙ୍କ ଦ୍ୱାରା ଅନୁମୋଦିତ ବିମାନ ଉଡ଼ାଣ ନିମନ୍ତେ ଏହି ନିର୍ଦ୍ଦେଶନାମା ଲାଗୁ ନୁହେଁ। କେବଳ ମନୋନୀତ କିଛି ମାର୍ଗରେ ଅନୁସୂଚିତ ଅନ୍ତର୍ଜାତୀୟ ଉଡ଼ାଣକୁ ଅନୁମତି ଦିଆଯାଇପାରେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ଦେଶରେ କୋଭିଡ-୧୯ ସଂକ୍ରମଣର ପ୍ରସାର ରୋକିବା ଲାଗି ଭାରତ ସରକାର ୨୩ ମାର୍ଚ୍ଚ ୨୦୨୦ରୁ ଅନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡ଼ାଣ ଉପରେ କଟକଣା ଜାରି କରିଥିଲେ। ତେବେ ଇତି ମଧ୍ୟରେ କେତେକ ଦେଶ ବିମାନ ଉଡ଼ାଣରେ ଥିବା କଟକଣା ଢ଼ିଲା କରିଛନ୍ତି। ଏପରି ଦଶମାନଙ୍କ ସହ ଭାରତ ସରକାର ଏୟାର ବବୁଲ ବୁଝାମଣା କରିଛନ୍ତି। ବୁଝାମଣାରେ ଜାତୀୟ ବିମାନ ପରିବହନ ଦ୍ୱାରା ଅନ୍ତର୍ଜାତୀୟ ଉଡ଼ାଣ ସଞ୍ଚାଳନ ଲାଗି ଅନୁମତି ରହିଛି। ଏଥିରେ ଭାରତ-ଆମେରିକା, ବ୍ରିଟେନ, ୟୁଏଇ, ମାଲଦ୍ୱୀପ, ନେଦରଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନ, କତାର ଓ ଭୁଟ୍ଟାନ ସମେତ ପ୍ରାୟ ୨୫ଟି ଦେଶଙ୍କ ସହ ଭାରତର ଏହି ବୁଝାମଣା ହୋଇଛି। ତେବେ ଡିଜିସିଏଙ୍କ ପୂର୍ବ କଟକଣା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ଥିଲା। କଟକଣା ହଟାଇବା ଲାଗି ବିଚାର କରାଯାଉଥିବା ବେଳେ ଦେଶରେ ତୃତୀୟ ଲହର ଆଶଙ୍କାକୁ ନଜରରେ ରଖି ଏହାକୁ ପୁଣି ୩୧ ଅକ୍ଟୋବର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି।






More Stories
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି…..
ଶପଥ ନେଲେ କେରଳର ନୂଆ ମୁଖ୍ୟମନ୍ତ୍ରୀ…..
ପ୍ରଧାନମନ୍ତ୍ରୀ ପଦ ଛାଡ଼ିବେ ଷ୍ଟାର୍ମର !…..