ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଳ ଜୀବନ ମିଶନ ଆପ୍ ଲୋକାର୍ପିତ କରିଛନ୍ତି | ଏହି ଅବସରରେ ସମ୍ବୋଧନ କରି କହିଛନ୍ତିକି ଜଳ ଜୀବନ ମିଶନ ଦ୍ୱାରା ଦେଶର ମହିଳାଙ୍କ ସଶକ୍ତିକରଣ କାର୍ଯ୍ୟ ସମ୍ଭବ ହୋଇ ପାରିଛି। ପୂର୍ବରୁ ପିଇବା ପାଣି ସଂଗ୍ରହ ପାଇଁ ବହୁ ଗ୍ରାମୀଣ ମହିଳାଙ୍କୁ ଦୂରଦୂରାନ୍ତ ସ୍ଥାନକୁ ଯିବାକୁ ପଡୁଥିଲା। ସମୟ ନଷ୍ଟ ହେଉଥିଲା। ମାତ୍ର ଏବେ ଗ୍ରାମୀଣ ମହିଳାଙ୍କ ସମୟ ନଷ୍ଟ ହେଉନି। ଫଳରେ ଏହି ସମୟରେ ସେମାନେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରୁଛନ୍ତି। ଏହା ଦ୍ୱାରା ସେମାନଙ୍କର ଆର୍ଥିକ ବିକାଶ ସମ୍ଭବ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ୫ଟି ଗ୍ରାମ ପଞ୍ଚାୟତର ହିତାଧିକାରୀଙ୍କ ସହିତ ଜଳ ଜୀବନ ମିଶନ ସମ୍ପର୍କରେ ଆଲୋଚନା କରିଥିଲେ। ୨୦୧୯ ଅଗଷ୍ଟ ୧୨ରେ ଆରମ୍ଭ ହୋଇଥିବା ଜଳ ଜୀବନ ମିଶନ ଯୋଗୁ ଦେଶର ୬ ଲକ୍ଷରୁ ଅଧିକ ଗାଁରେ ପିଇବା ପାଣି ସମସ୍ୟା ଦୂର ହୋଇଛି। ୩.୫ ଲକ୍ଷରୁ ଅଧିକ ଗାଁରେ ପାଣି ସମିତି ଗଠନ କରାଯାଇଛି। ପାଣିର ଗୁଣବତ୍ତା ପରୀକ୍ଷା କରିବା ଲାଗି ୭.୧ ଲକ୍ଷରୁ ଅଧିକ ମହିଳାଙ୍କୁ ଆବଶ୍ୟକ ତାଲିମ୍ ପ୍ରଦାନ କରାଯାଇଛି। ଦୁଇବର୍ଷ ତଳେ ୩.୨୩ କୋଟି ଗ୍ରାମୀଣ ପରିବାରଙ୍କ ପାଖରେ ପିଇବା ପାଣିର ସୁବିଧା ଥିବାବେଳେ ଗତ ୨ ବର୍ଷ ମଧ୍ୟରେ ଏଥିରେ ୫କୋଟି ନୂଆ ପରିବାର ଯୋଗଦେଇଛନ୍ତି। ସମ୍ପ୍ରତି ଦେଶର ୮.୨୬ କୋଟି ଗ୍ରାମୀଣ ପରିବାରଙ୍କୁ ପିଇବା ପାଣି ସୁବିଧା ଯୋଗାଇ ଦିଆଯାଇଛି। ଦେଶର ୭୮ ଜିଲାର ୫୮ ହଜାର ଗ୍ରାମପଞ୍ଚାୟତରେ ୧.୧୬ ଲକ୍ଷ ଗ୍ରାମରେ ଘରେ ନଳରେ ପିଇବା ପାଣି ଯୋଗାଇ ଦିଆଯାଉଛି। ସେହିପରି ୭.୭୨ ଲକ୍ଷ ସ୍କୁଲ, ୭.୪୮ ଲକ୍ଷ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ମଧ୍ୟ ସ୍ବଚ୍ଛ ପିଇବା ପାଣି ଜଳ ଜୀବନ ମିଶନ ଅନ୍ତର୍ଗତ ଯୋଗାଇ ଦିଆଯାଉଛି।






More Stories
ଆଇଆରଜିସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ବ୍ରିଟେନ…..
ଓମାରଙ୍କୁ ବିଜେପିର ଆଇନଗତ ନୋଟିସ…..
ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟିର ପରାମର୍ଶ…..