Report Card Odisha

| Daily Odia News

୩୦ ରୁ ଜି-୨୦ ନେତାଙ୍କ ଶୀର୍ଷ ବୈଠକ ୨୦୨୧……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ୩୦ ତାରିଖରୁ ଇଟାଲୀରେ ଆରମ୍ଭ ହେବ ଦୁଇଦିନିଆ ଜି-୨୦ ନେତାମାନଙ୍କ ଶୀର୍ଷ ବୈଠକ ୨୦୨୧। ଜି-୨୦ ହେଉଛି ବିଶ୍ୱର ବୃହତ୍‍ ଅର୍ଥନୈତିକ ରାଷ୍ଟ୍ରଗୁଡ଼ିକର ଏକ ଅନ୍ତର୍ଜାତୀୟ ସମୂହ। ଏହି ସମ୍ମିଳନୀରେ ଅତିଥି ରାଷ୍ଟ୍ର ଓ ଅନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକୁ ଯୋଗ ଦେବାପାଇଁ ନିମନ୍ତ୍ରଣ କରାଯାଇଥାଏ। ଏହି ରାଷ୍ଟ୍ର ସମୂହରେ ଗୋଟିଏ ଦେଶ ବର୍ଷକ ପାଇଁ ସଭାପତିତ୍ୱ କରିଥାଏ | ଚଳିତ ବର୍ଷ ସକାଶେ ଇଟାଲୀ ଜି-୨୦ ରାଷ୍ଟ୍ରଗୋଷ୍ଠୀର ସଭାପତି ଭାବେ ୨୦୨୦ ଡିସେମ୍ବର ମାସରୁ ଦାୟିତ୍ୱ ଗ୍ରହଣ କରିଛି। ୧୯୯୯ ମସିହାରୁ ପ୍ରତିବର୍ଷ ଏହି ଫୋରମ୍‍ର ବୈଠକ ବସୁଛି। ୨୦୧୦ ମସିହାରୁ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକର ସରକାରୀ ଓ ରାଷ୍ଟ୍ରମୁଖ୍ୟମାନେ ଏହି ବାର୍ଷିକ ବୈଠକରେ ଯୋଗ ଦେଉଛନ୍ତି। ଏହି ବୈଠକରେ ଯୋଗ ଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋମ୍‍ ଯାତ୍ରା କରିବେ। ଏହି ବୈଠକରେ ଜନସାଧାରଣ, ପୃଥିବୀ ଏବଂ ଏହାର ସମୃଦ୍ଧି ଉପରେ ଆଲୋଚନା ହେବ।କୋଭିଡ୍‍ ମହାମାରୀ ମୁକାବିଲା ପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦକ୍ଷେପ ଲାଗି ଜି-୨୦ ରାଷ୍ଟ୍ରସମୂହ ନେତୃତ୍ୱ ନେବା ସଂକ୍ରାନ୍ତରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ୧୯ଟି ରାଷ୍ଟ୍ର ଓ ୟୁରୋପୀୟ ସଂଘକୁ ନେଇ ଜି-୨୦ ରାଷ୍ଟ୍ରଗୋଷ୍ଠୀ ଗଠନ କରାଯାଇଛି। ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ୍‍, କାନାଡ଼ା, ଚୀନ୍‍, ଜର୍ମାନୀ, ଫ୍ରାନ୍ସ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ମେକ୍ସିକୋ, ରୁଷ୍‍, ସାଉଦି ଆରବ, ଦକ୍ଷିଣ କୋରିଆ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ୍‍ ଓ ଆମେରିକା ଆଦି ୧୯ଟି ରାଷ୍ଟ୍ର ଏଥିରେ ସଦସ୍ୟ ଅଛନ୍ତି।

 

Breaking News