ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାରେ ବଦଳିବ ଶିକ୍ଷାର ମାନଚିତ୍ର । ଖାଲିପଡ଼ିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ପଦବୀ ପୂରଣ ହେବ । ପ୍ରତିବର୍ଷ ଶିକ୍ଷକ ନିଯୁକ୍ତି ପରୀକ୍ଷା କରାଯାଇ ବିଦ୍ୟାଳୟଗୁଡ଼ିକରେ ସେମାନଙ୍କୁ ନିଯୁକ୍ତି କରାହେବା । ଏହା ଦ୍ୱାରା ରାଜ୍ୟରେ ଖାଲିପଡ଼ିଥିବା ଶିକ୍ଷକ ପଦଗୁଡ଼ିକ ଖୁବଶୀଘ୍ର ପୂରଣ ହେବା ସହ ରାଜ୍ୟରେ ଶିକ୍ଷକ ଅଭାବ ଦୂର ହୋଇପାରିବ । ଏହାକୁ ନେଇ ବିଶେଷଜ୍ଞ ଓ ଶିକ୍ଷାବିତମାନେ ମତ ଦେଇଥିଲେ | ଏହାକୁ ନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ତେଣୁ ରାଜ୍ୟରେ ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷା ଢାଞ୍ଚାରେ ପ୍ରତ୍ୟେକ ବର୍ଷ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ନିଯୁକ୍ତି ଦିଆଯିବ । ଗୋଟିଏପଟେ ପ୍ରତ୍ୟେକ ବର୍ଷ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ହେଉ ନଥିବା ବେଳେ ଅନ୍ୟପଟେ ପ୍ରତ୍ୟେକ ମାସରେ ଶହ ଶହ ଶିକ୍ଷକ, ଶିକ୍ଷୟିତ୍ରୀ ଅବସର ନେଉଛନ୍ତି । ଫଳରେ ସାରା ରାଜ୍ୟରେ ଶିକ୍ଷକ ସଙ୍କଟ ଦେଖାଦେବା ସହ ଶିକ୍ଷାର ଗୁଣାତ୍ମକ ମାନ ଭୁଶୁଡ଼ି ପଡ଼ୁଛି । ରାଜ୍ୟରେ ଓଏଏସ୍ ପରୀକ୍ଷା ଯେଉଁଭଳି ଭାବେ କରାଯାଉଛି, ଉକ୍ତ ଢାଞ୍ଚାରେ ଶିକ୍ଷକ ନିଯୁକ୍ତି କରାଯିବ । କେଉଁ ବିଦ୍ୟାଳୟରୁ କେତେ ଶିକ୍ଷକ ଅବସର ନେଉଛନ୍ତି, ତାହାର ତଥ୍ୟ ଏକତ୍ର କରାଯାଇ ତାହାକୁ ଆଧାର କରି ପଦ ପୂରଣ ପ୍ରକ୍ରିୟା ଆଗକୁ ବଢ଼ାଯିବ । ପ୍ରତ୍ୟେକ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମ୍ପାଦନ କରାଯିବ । ଦୀର୍ଘ ଅବଧି ପରେ ରାଜ୍ୟରେ ଚଳିତ ବର୍ଷ ୧୧ ହଜାରରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ନେଇ ବିଜ୍ଞପ୍ତି ବାହାରିଥିଲା । ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ନିର୍ଦ୍ଦେଶ ଦେଇଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏ ଦିଗରେ କାର୍ଯ୍ୟ ଆରମ୍ଭ କରିଦେଇଛି । ତେବେ ଏହି ନିଯୁକ୍ତି ନେଇ ସରକାରୀ ସ୍ତରରେ କାର୍ଯ୍ୟାରମ୍ଭ ହୋଇସାରିଥିବା ବେଳେ ସରକାର ଏନେଇ କୌଣସି ଘୋଷଣା କରିନାହାନ୍ତି । ପ୍ରଶାସନିକ ସ୍ତରରେ ଆଲୋଚନା ସରିଥିବା ବେଳେ ଖୁବଶୀଘ୍ର ଏ ସମ୍ବନ୍ଧରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..