Report Card Odisha

| Daily Odia News

ବଦଳିବ ବିଏଡ୍‌ ପାଠ୍ୟକ୍ରମ ବର୍ଷ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଏଡ୍‌ ପାଠ୍ୟକ୍ରମ ୪ ବର୍ଷିଆ ହେବ। ଇଣ୍ଟିଗ୍ରେଟେଡ୍‌ ଟିଚର ଏଜୁକେସନ କାର୍ଯ୍ୟକ୍ରମ(ଆଇଟିଇବି) ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବିଏ ବିଏଡ୍‌, ବିଏସ୍‌ସି ବିଏଡ୍‌ ଓ ବି କମ୍‌ ବିଏଡ୍‌ ପାଠ୍ୟକ୍ରମରେ ୪ ବର୍ଷ ଧରି ଶିକ୍ଷା ପ୍ରଦାନ କରାଯିବ। ଯୁକ୍ତ ୨ରେ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀ ସିଧାସଳଖ ଉକ୍ତ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ ବୋଲି ସୂଚନା ମିଳିଛି । ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତି ନେବା ସହ ବିଜ୍ଞପ୍ତି ପ୍ରକାଶ କରିଛି। ଶିକ୍ଷା ନୀତି-୨୦୨୦ ଅନୁଯାୟୀ ୨୦୩୦ରୁ ଶିକ୍ଷକ ନିଯୁକ୍ତି କେବଳ ଆଇଟିଇପି ଯୋଗ୍ୟତା ଆଧାରରେ ହେବ। ତାହାକୁ ନଜରରେ ରଖି ପାଇଲଟ୍ ପ୍ରକଳ୍ପ ଭାବେ ୨୦୨୨-୨୩ ଶିକ୍ଷାବର୍ଷରୁ ଦେଶର ପ୍ରାୟ ୫୦ଟି ବହୁମୁଖୀ(ମଲ୍‌ଟିଡିସିପ୍ଲିନାରି) ଶିକ୍ଷାନୁଷ୍ଠାନରେ ଏହି ପାଠ୍ୟକ୍ରମରେ ପ୍ରଚଳନ କରିବାକୁ ନିଷ୍ପିତ୍ତି ନିଆଯାଇଛି। ଶିକ୍ଷା ମନ୍ତ୍ରାଳୟ ଅଧୀନ ନ୍ୟାସନାଲ କାଉନସିଲ୍ ଫର୍ ଟିଚର ଏଜୁକେସନ(ଏନ୍‌ସିଟିଇ) ଏହି ପାଠ୍ୟକ୍ରମ ପ୍ରସ୍ତୁତ କରିଛି। ଯାହାଦ୍ବାରା ଛାତ୍ରଛାତ୍ରୀ ଶିକ୍ଷକତା କ୍ଷେତ୍ରରେ ଡିଗ୍ରି ହାସଲ କରିବା ସହ ଇତିହାସ, ଗଣିତ, ବିଜ୍ଞାନ, କଳା, ଅର୍ଥନୀତି, ବାଣିଜ୍ୟ ପରି ବିଷୟରେ ବିଶେଷ ଶିକ୍ଷା ପାଇପାରିବେ। ଆଇଟିଇବି କେବଳ ଅତ୍ୟାଧୁନିକ ଶିକ୍ଷାଦାନ ପ୍ରଦାନ କରିବ ନାହିଁ, ବରଂ ବାଲ୍ୟକାଳର ଯତ୍ନ ଓ ଶିକ୍ଷା(ଇସିସିଇ), ମୂଳ ସାକ୍ଷରତା ଓ ସଂଖ୍ୟା, ଅନ୍ତର୍ଭୁକ୍ତ ଶିକ୍ଷା, ଭାରତ ଓ ଏହାର ମୂଲ୍ୟବୋଧ/ନୈତିକତା/କଳା/ପରମ୍ପରା ଉପରେ ଏକ ଭିତ୍ତିପ୍ରସ୍ତର ସ୍ଥାପନ କରିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରେ ଶିକ୍ଷାଦାନକୁ ବୃତ୍ତି ଭାବେ ଗ୍ରହଣ କରିବାକୁ ଆଗ୍ରହୀ ରହିଥିବା ସମସ୍ତ ଛାତ୍ରଛାତ୍ରୀ ଆଇଟିଇବି ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିପାରିବେ। ଏହି ଇଣ୍ଟିଗ୍ରେଟେଡ୍ ପାଠ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀ ବହୁ ପରିମାଣରେ ଉପକୃତ ହେବେ। କାରଣ ସେମାନେ ବର୍ତ୍ତମାନର ବିଏଡ୍‌ ପାଇଁ ଆବଶ୍ୟକ ପାରମ୍ପରିକ ୫ ବର୍ଷ ପରିବର୍ତେ ଏହାକୁ ୪ ବର୍ଷରେ ଶେଷ କରିପାରିବେ। ସେମାନଙ୍କର ଗୋଟିଏ ବର୍ଷ ବଞ୍ଚିବ। ୨୦୨୨-୨୩ ଶିକ୍ଷାବର୍ଷରୁ ଆରମ୍ଭ ହେବାକୁ ଥିବା ଆଇଟିଇବି ଚାରି ବର୍ଷିଆ ପାଠ୍ୟକ୍ରମରେ ନାମଲେଖା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ୱାରା ଜାତୀୟ ସାଧାରଣ ପ୍ରବେଶିକା ପରୀକ୍ଷା(ଏନ୍‌ସିଇଟି) କରାଯିବ। ଏହି ପାଠ୍ୟକ୍ରମ ବହୁମୁଖୀ ଶିକ୍ଷାନୁଷ୍ଠାନ ଦ୍ୱାରା ପ୍ରଦାନ କରାଯିବ ଏବଂ ବିଦ୍ୟାଳୟ ଶିକ୍ଷକଙ୍କ ପାଇଁ ସର୍ବନିମ୍ନ ଡିଗ୍ରି ଯୋଗ୍ୟତା ଭାବେ ପରିଗଣିତ ହେବ। ଏହି ପାଠ୍ୟକ୍ରମ ସମଗ୍ର ଶିକ୍ଷକ ଶିକ୍ଷା କ୍ଷେତ୍ରର ପୁନରୁଥାନରେ ବହୁ ଅବଦାନ ଦେବ ବୋଲି ଶିକ୍ଷାବିତ୍‌ମାନେ ମତପ୍ରକାଶ କରିଛନ୍ତି।

Breaking News