Report Card Odisha

| Daily Odia News

ପଞ୍ଚାୟତ ନିର୍ବାଚନ ପାଇଁ ୩ ନିର୍ଦ୍ଦେଶନାମା ଜାରି କଲେ ନିର୍ବାଚନ ଆୟୋଗ…….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରିବା ଲାଗି ସୋମବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପୃଥକ ଭାବେ ୩ଟି ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଅନୁଯାୟୀ ପଞ୍ଚାୟତ ନିର୍ବାଚନ ମତଦାନ ପୂର୍ବାହ୍ନ ୭ଟାରୁ ଅପରାହ୍ଣ ଗୋଟାଏ ମଧ୍ୟରେ ହେବ। ସେହିପରି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଜିଲ୍ଲାପରିଷଦ ସଭ୍ୟ, ସମିତି ସଭ୍ୟ ଓ ସରପଞ୍ଚମାନେ କେତେ ଖର୍ଚ୍ଚ କରିବେ ସେନେଇ ସଂଶୋଧିତ ନିର୍ଦ୍ଦେଶନାମା ଜାରି ହୋଇଛି। ଏଣିକି ଜିଲ୍ଲାପରିଷଦ ସଭ୍ୟମାନେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ଦର୍ଶାଯାଇ ଥିବାବେଳେ ସମିତି ସଭ୍ୟ ଓ ସରପଞ୍ଚମାନେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି ଆୟୋଗଙ୍କ ପକ୍ଷରୁ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି। ଶ୍ରୀ ସାହୁ ଦର୍ଶାଇଛନ୍ତି ଯେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅଧୀକ୍ଷଣ ଓ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ସମ୍ବିଧାନର ୨୪୩ ଧାରା ଅନୁଯାୟୀ ଜିଲାପରିଷଦ ସଭ୍ୟମାନେ ୫ଟି କାର କିମ୍ବା ଜିପ୍ ଏବଂ ୧୦ଟି ମୋଟର ସାଇକଲ ନିର୍ବାଚନରେ ବ୍ୟବହାର କରିପାରିବେ। ସେହିପରି ସମିତି ସଭ୍ୟ ଓ ସରପଞ୍ଚମାନେ ୨ଟି କାର କିମ୍ବା ଜିପ୍ ସହିତ ୫ଟି ମୋଟର ସାଇକଲ ବ୍ୟବହାର କରିପାରିବେ। ନିର୍ବାଚନୀ ଶୋଭାଯାତ୍ରାରେ ଏହାଠାରୁ ଯେଭଳି ପ୍ରାର୍ଥୀମାନେ ଅଧିକ ଗାଡି ବ୍ୟବହାର ନକରନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦେଶ ରହିଛି।
ନିର୍ଦେଶନାମା ଅନୁଯାୟୀ ଏହି ତିନି ବର୍ଗର ପ୍ରାର୍ଥୀମାନେ ନିର୍ବାଚନ ଲାଗି ସତ୍ୟପାଠ ଦେବାବେଳେ ତିନୋଟି ନକଲ କରିବେ। ସେଥିମଧ୍ୟରୁ ଗୋଟିଏ ଉପଜିଲାପାଳ, ଅନ୍ୟଟି ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଦେବେ ଏବଂ ତୃତୀୟ ନକଲଟି ନିଜ ପାଖରେ ରଖିବେ। ସତ୍ୟପାଠରେ ଏହିସବୁ ସର୍ତ୍ତ ଯେଭଳି ପ୍ରାର୍ଥୀମାନେ ପାଳନ କରନ୍ତି ସେଥିପ୍ରତି ଗୁରୁତ୍ବ ଦେବାକୁ ଶ୍ରୀ ସାହୁ ଦର୍ଶାଇଛନ୍ତି। ଶ୍ରୀ ସାହୁ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଯଦି କୌଣସି ସମୟରେ ନିର୍ବାଚନ ଅଧିକାରୀ କିମ୍ବା କ୍ଷମତା ସମ୍ପନ୍ନ ଅଧିକାରୀ ଯାଞ୍ଚ ପାଇଁ ପ୍ରାର୍ଥୀଙ୍କୁ ଡାକନ୍ତି ତେବେ ସେ ଉପସ୍ଥିତ ହୋଇ ଦର୍ଶାଇବେ। ମୋଟର ଯାନ ସମ୍ପର୍କିତ ସମସ୍ତ ଖର୍ଚ୍ଚ ଓ ସର୍ତ୍ତ ଯେଭଳି ନିୟମ ଭିତରେ ପାଳନ ହେବ ତାକୁ ଗୁରୁତ୍ବ ଦେବାକୁ ଆାୟୋଗଙ୍କ ପକ୍ଷରୁ ଦର୍ଶାଯାଇଛି। ଯଦି କୌଣସି କ୍ଷେତ୍ରରେ ଏହାର ଉଲ୍ଲଘଂନ ହୁଏ ତେବେ ନିର୍ବାଚନ ଆଇନ ଅନୁଯାୟୀ ସମ୍ପୃକ୍ତ ପ୍ରାର୍ଥୀ ଓ ବ୍ୟକ୍ତିଙ୍କୁ ଦଣ୍ଡିତ କରାଯିବ ବୋଲି ଆୟୋଗଙ୍କ ପକ୍ଷରୁ ଚେତାଇ ଦିଆଯାଇଛି।

Breaking News