ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍ଏଫ୍ଏଚ୍ଏସ୍) ଡାଟା ମୁତାବକ ଟିଏଫ୍ଆର୍ ୨୦୧୬ରେ ୨.୨ରେ ଥିବା ବେଳେ ଏବଂ ଏହା ହ୍ରାସ ପାଇଁ ପ୍ରାୟ ୨କୁ ଆସିଯାଇଛି । ଅର୍ଥାତ ଜଣେ ମହିଳା ନିଜ ଜୀବନକାଳରେ ସନ୍ତାନ ଜନ୍ମ ଦେବାର ହାର ୨.୨ରୁ କମି ୨ରେ ପହଞ୍ଚିଛି। ଏହାଦ୍ବାରା ଦେଶର ଜନସଂଖ୍ୟା ଏବେ ପ୍ରାୟତଃ ସ୍ଥିର ହୋଇଯାଇଛି ଏବଂ ଏଥିରେ ମାମୁଲି ବୃଦ୍ଧି ହେଉଛି। ୨୦୧୯ରୁ ୨୦୨୧ ମଧ୍ୟରେ ହୋଇଥିବା ଦୁଇଟି ପର୍ଯ୍ୟାୟ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୫ର ଦ୍ବିତୀୟ ପର୍ଯ୍ୟାୟ ତଥ୍ୟ ମୁତାବକ ଗର୍ଭନିରୋଧକର ପ୍ରସାର ହାର ଏବେ ୫୪ ପ୍ରତିଶତରୁ ବଢ଼ି ୬୭ ପ୍ରତିଶତ ହୋଇଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ଆଜି ଏ ବାବଦ ତଥ୍ୟ ଜାରି କରିଛନ୍ତି। ପୁରୁଷଙ୍କ ତୁଳନାରେ ମହିଳା ଅଧିକ ରହିଛି | ୫ମ ପର୍ଯ୍ୟାୟ ‘ଜାତୀୟ ପରିବାର ଓ ସ୍ବାସ୍ଥ୍ୟ ସର୍ବେକ୍ଷଣ’ରିପୋର୍ଟରେ ଭାରତରେ ପ୍ରତି ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୧,୦୨୦ ଜଣାପଡ଼ିଛି। ଶନିବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ରିଲିଜ୍ କରିଥିବା ଉପରୋକ୍ତ ସର୍ବେକ୍ଷଣ ରିପୋର୍ଟ ଅନୁସାରେ, ଏବେ ଆଉ ଭାରତକୁ ‘ନିରୁଦ୍ଦିଷ୍ଟ ମହିଳା’ ଦେଶ କୁହାଯିବ ନାହିଁ। ୧୯୯୦ରେ ‘ନ୍ୟୁୟର୍କ ରିଭ୍ୟୁ ଅଫ୍ ବୁକ୍ସ୍’ରେ ପ୍ରକାଶିତ ଏକ ପ୍ରବନ୍ଧରେ ନୋବେଲ୍ ବିଜୟୀ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ ପ୍ରଥମ ଥର ପାଇଁ ‘ନିରୁଦ୍ଦିଷ୍ଟ ମହିଳା’ ଶବ୍ଦ ବ୍ୟବହାର କରିଥିଲେ। ସେତେବେଳେ ଭାରତରେ ପ୍ରତି ୧୦୦୦ଜଣ ପୁରୁଷରେ ୯୨୭ ମହିଳା ଥିଲେ। ୨୦୦୫-୦୬ରେ ହୋଇଥିବା ‘ଏନ୍ଏଫ୍ଏଚ୍ଏସ୍-୩’ ସର୍ବେକ୍ଷଣ ରିପୋର୍ଟ ଅନୁସାରେ, ପୁରୁଷ ଓ ମହିଳାଙ୍କ ଅନୁପାତ ସମାନ ବା ୧୦୦୦:୧୦୦୦ ଥିଲା। କିନ୍ତୁ, ୨୦୧୫-୧୬ ‘ଏନ୍ଏଫ୍ଏଚ୍ଏସ୍-୪’ ସର୍ବେକ୍ଷଣରେ ତାହା ହ୍ରାସ ପାଇ ୯୯୧:୧୦୦୦ ହୋଇଥିଲା। କିନ୍ତୁ, ଏଥର ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଅତିରିକ୍ତ ସଚିବ ତଥା ‘ଜାତୀୟ ସ୍ବାସ୍ଥ୍ୟ ମିସନ୍’ର ‘ମିସନ୍’ ନିର୍ଦେଶକ ବିକାଶ ଶୀଲ୍ କହିଛନ୍ତି, ବୃଦ୍ଧି ପାଇଥିବା ଲିଙ୍ଗଗତ ଅନୁପାତ ଏବଂ ଜନ୍ମ ସମୟର ଲିଙ୍ଗଗତ ଅନୁପାତ ମଧ୍ୟ ଉଲ୍ଲେଖନୀୟ କୃତ୍ବିତ୍ବ। ଯଦିବା ବାସ୍ତବ ସଂଖ୍ୟା ଜନଗଣନାରୁ ଜଣାପଡ଼ିବ, କିନ୍ତୁ ସର୍ବେକ୍ଷଣ ରିପୋର୍ଟକୁ ଦେଖି ଆମେ କହିପାରିବା ଯେ, ମହିଳା ସଶକ୍ତିକରଣ ପାଇଁ ଆମେ ଗ୍ରହଣ କରିଥିବା ପଦକ୍ଷେପ ଆମକୁ ଠିକ୍ ବାଟରେ ଅଗ୍ରସର କରାଉଛି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..