ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଶ୍ୱରେ କୋଭିଡ-୧୯ର ନୂଆ ରୂପ ଓମିକ୍ରନ ଚିନ୍ତା ବଢାଇ ଦେଇଛି | ଏହାକୁ ନେଇ ଭାରତରେ ତୃତୀୟ ଲହର ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଥିବାବେଳେ ବିଦେଶ ଫେରନ୍ତାଙ୍କ ଉପରେ ଭାରତ ସରକାର କଡା ନଜର ରଖିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି । ଇତିମଧ୍ୟରେ ବିଦେଶ ଫେରନ୍ତାଙ୍କ ମଧ୍ୟରୁ କେତେକ ଓମିକ୍ରନ ପ୍ରକରଣରେ ଆକ୍ରାନ୍ତ ଥିବା ମଧ୍ୟ ସେମାନଙ୍କର ଜିନୋମ ସିକ୍ୱେନସିଂରୁ ଜଣାପଡିଛି । ତେବେ ମହାରାଷ୍ଟ୍ରକୁ ବିଦେଶରୁ ଆସିଥିବା ୨୯୫ ଜଣ ଲୋକଙ୍କ ମଧ୍ୟରୁ ୧୦୯ ଜଣଙ୍କ ସମ୍ପର୍କରେ ସରକାରଙ୍କ ପାଖରେ କୌଣସି ସୂଚନା ନାହିଁ । ସେମାନେ ଥାଣେ ଜିଲ୍ଲାର ବୋଲି ଜଣାଯାଇଛି । କଲ୍ୟାଣ ଡୋମ୍ବିଭିଲି ପୌର ନିଗମ ମୁଖ୍ୟ ବିଜୟ ସୂର୍ଯ୍ୟବଂଶୀଙ୍କ କହିବା ଅନୁଯାୟୀ ଏହି ଲୋକମାନେ ସେମାନଙ୍କର ମୋବାଇଲ ଫୋନ ବନ୍ଦ କରିଦେଇଛନ୍ତି । ତାହାଛଡା ଏମାନଙ୍କ ମଧ୍ୟରୁ ଅନେକ ଯେଉଁ ଠିକଣା ଦେଇଥିଲେ, ସେଠାରେ ତାଲା ପଡିଥିବା ଦେଖିବାକୁ ମିଳିଛି । ଜଣାଯାଇଛି ଯେ ଅଧିକ ବିପଦଶଙ୍କୁଳ ରାଷ୍ଟ୍ରରୁ ଭାରତକୁ ଆସୁଥିବା ଲୋକମାନଙ୍କର ନମୁନା ପରୀକ୍ଷାରୁ ସେମାନେ ସଂକ୍ରମିତ ନଥିବା ଜଣାପଡିଲେ ମଧ୍ୟ ସେମାନଙ୍କୁ ସାତଦିନ ପାଇଁ ନିଜ ଘରେ ସଂଗରୋଧରେ ରହିବା ଏବଂ ଅଷ୍ଟମ ଦିନ ନମୁନା ପରୀକ୍ଷା କରାଇବା ବାଧ୍ୟତାମୂଳକ କରାଯାଇଛି । ସେମାନେ ଯେଭଳି ସର୍ତ୍ତ ଉଲ୍ଲଂଘନ ନକରନ୍ତି ତାହା ଉକ୍ତ ଆବାସିକ ସୋସାଇଟିର କର୍ମକର୍ତ୍ତାମାନଙ୍କର ଦାୟିତ୍ୱ ବୋଲି ସରକାର କହିଥିଲେ । କିନ୍ତୁ ଏହି ଲୋକମାନେ ମୋବାଇଲ ବନ୍ଦ କରିଦେବା ସହିତ ସେମାନଙ୍କ ଠିକଣାରେ ଥିବା ଘର ତାଲା ପଡିଥିବାରୁ ଏବେ ସ୍ୱାସ୍ଥ୍ୟ ବିଭାଗ ସହିତ ରାଜ୍ୟ ସରକାର ଚିନ୍ତାରେ ପଡିଯାଇଛନ୍ତି । ସେମାନଙ୍କୁ କେଉଁଠି ଖୋଜିବେ ତାହା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଅନ୍ୟପକ୍ଷରେ ସେମାନଙ୍କ ମଧ୍ୟରୁ ଯେଉଁମାନେ ସଂକ୍ରମିତ ହୋଇଥିବେ ସେମାନେ ସୁପର ସ୍ପ୍ରେଡର ପାଲଟିବା ଆଶଙ୍କା ସୃଷ୍ଟି ହୋଇଛି ।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..