ରିପୋର୍ଟ କାର୍ଡ / ଭୁବନେଶ୍ୱର
ଡିସେମ୍ବର ତୃତୀୟ ସପ୍ତାହରେ ରାଜ୍ୟରେ ଶୀତର ବଢ଼ିବ। ପାରଦ ତଳମୁହାଁ ହେବା ସହ ପାଖାପାଖି ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଖସିବ। ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସ୍ଥିତି ଏଭଳି ରହିବ। ପରବର୍ତ୍ତୀ ୩ ଦିନରେ ପାରଦ ଦ୍ରୁତଗତିରେ ତଳମୁହାଁ ହେବ, ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା। ଭବାନୀପାଟଣା ଓ ଟିଟିଲାଗଡ଼ରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୫୦୦ ମିଟର ଥିଲା। ଏହା ସହ ହାଲୁକା କୁହୁଡ଼ି ପଡ଼ିଥିବା ବେଳେ ମାଲକାନଗିରି ଓ କୋରାପୁଟଠାରେ ଦୃଶ୍ୟମାନ ଦୂରତା ୨୦୦ ମିଟର ଓ ମଧ୍ୟମଧରଣର କୁହୁଡ଼ି ଦେଖାଯାଇଥିଲା। ସର୍ବନିମ୍ନ ରାତ୍ରି ତାପମାତ୍ରା ବଲାଙ୍ଗୀରଠାରେ ୧୪.୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ ପାହାଡ଼ିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡ଼ିଠାରେ ୧୩.୫ ଡିଗ୍ରି ରେକର୍ଡ ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ରାତ୍ରି ତାପମାତ୍ରା ତଳକୁ ଖସିଛି। ଏପଟେ ଉପକୂଳବର୍ତ୍ତୀ ଓ ତତ୍ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବିଶେଷ ପରିବର୍ତ୍ତନ ଘଟି ନାହିଁ। ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ସ୍ବାଭାବିକ ତାପମାତ୍ରାଠାରୁ ଅଧିକ ରହିଛି।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..