Report Card Odisha

| Daily Odia News

ପୋଲିସ କମିଶନରଙ୍କୁ ତାରାଙ୍କ ଚ୍ୟାଲେଞ୍ଜ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗତ ଶୁକ୍ରବାର ବିଧାନସଭା ଆଡକୁ ଯାଉଥିବା ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ଼ ଘଟଣାକୁ ସ୍ୱର ତୀବ୍ର କରିଛନ୍ତି ଦଳର ବରିଷ୍ଠ ନେତା। ଛାତ୍ର କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିବା ବେଳେ ପୋଲିସ ସେମାନଙ୍କୁ ପିଟିଥିଲା ବୋଲି ଦଳ ଅଭିଯୋଗ କରିଥିବା ବେଳେପୋଲିସ କରିଛି ପାଲଟା ଅଭିଯୋଗ। ଛାତ୍ର କଂଗ୍ରେସ କର୍ମୀମାନେ ପୋଲିସ ଉପରକୁ ପଥରମାଡ଼ କରିଥିଲେ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଆଉ ଏହାକୁ ନେଇ ପୋଲିସ କମିଶନରଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି, ଯଦି କଂଗ୍ରେସ କର୍ମୀ ପୋଲିସ ଉପରକୁ ପଥରମାଡ଼ କରିଛନ୍ତି ବୋଲି ପୋଲିସ କମିଶନର ପ୍ରମାଣିତ କରି ଦେବେ, ତା’ହେଲେ ମୁଁ ରାଜନୀତି ଛାଡ଼ିଦେବି। କିନ୍ତୁ ତାହା ପ୍ରମାଣ କରି ନପାରିଲେ ପୋଲିସ କମିଶନର ଚାକିରି ଛାଡ଼ିବେ କି ? ତାରା ଆହୁରି କହିଛନ୍ତି, ପୋଲିସ କଂଗ୍ରେସ ଭବନ ଭିତରକୁ ଢେଲା ମାଡ଼ କରିଛି।ପୋଲିସ କଂଗ୍ରେସ ଭବନରେ ପଶି କର୍ମୀମାନଙ୍କୁ ପିଟିବା ଘଟଣାର ତଦନ୍ତ ହେଉ। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନ ହେଲେ ପୋଲିସ କମିଶନରଙ୍କ ଅଫିସ୍ ଘେରାଉ କରାଯିବ। ଏହା ସହିତ ସେ ପୋଲିସ କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣାର ପ୍ରତିବାଦ ସ୍ୱରୁପ ଆସନ୍ତା ୧୪ ତାରିଖରେ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ।

Breaking News