Report Card Odisha

| Daily Odia News

୨୪୪ ବର୍ଷର ପ୍ରତୀକ୍ଷାର ଅନ୍ତ,କାଶୀ ବିଶ୍ବନାଥ କରିଡର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୪୪ ବର୍ଷର ପ୍ରତୀକ୍ଷାର ଅନ୍ତଘଟିଛି। ଆଜି କାଶୀ ବିଶ୍ବନାଥ କରିଡରକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୨ ବର୍ଷ ୯ ମାସ ୯ ଦିନରେ ଏହାର ନିର୍ମାଣ କାମ ସମ୍ପନ୍ନ ହୋଇଛି। ଏହି କରିଡର କାଶୀ ବିଶ୍ବନାଥ ମନ୍ଦିରକୁ ଗଙ୍ଗାନଦୀ କୂଳ ସହ ସଂଯୋଗ କରିଛି । ଏହି ପ୍ରକଳ୍ପ ୫ଲକ୍ଷ ବର୍ଗ ଫୁଟକୁ ବ୍ୟାପିଛି ଯାହା ମଧ୍ୟରେ ୪୦ଟି ପ୍ରାଚୀନ ମନ୍ଦିର ରହିଛି। ଏହା ମଧ୍ୟରେ ଭକ୍ତଙ୍କୁ ବିଭିନ୍ନ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦେବା ଲାଗି ୨୩ଟି ନୂଆ କୋଠା ତିଆରି କରାଯାଇଛି। ୨୦୧୯ ମାର୍ଚ୍ଚ ୮ରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହା ଅନ୍ୟତମ ପ୍ରମୁଖ ପ୍ରକଳ୍ପ। ସୋମବାର ସକାଳେ ପ୍ରଧାନମନ୍ତ୍ରୀ ବାରାଣସୀ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ହେଲିକପ୍ଟର ଯୋଗେ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ବବିଦ୍ୟାଳୟକୁ ଯିବେ। ସେଠାରୁ ସେ ଜଳପଥରେ ଗଙ୍ଗା ଘାଟକୁ ଯିବେ ଯାହା କାଶୀ ବିଶ୍ବନାଥ ମନ୍ଦିରକୁ ସଂଯୋଗ କରୁଛି। ଏହି କାର୍ଯ୍ୟକ୍ରମରେ ୩୦୦୦ ସାଧୁସନ୍ଥ ଓ କଳାକାର ଯୋଗ ଦେବେ। ଆଜିର ଉତ୍ସବ ପାଇଁ ବାରାଣସୀ ଜିଲା ପ୍ରଶାସନ ୮ଲକ୍ଷ ପରିବାରରେ ପ୍ରାୟ ୨୮ରୁ ୩୦ଲକ୍ଷ ଲଡୁ ବଣ୍ଟନ କରିବାର ବ୍ୟବସ୍ଥା କରିଛି। କରିଡର ଚାରିପଟେ ରୁଦ୍ରାକ୍ଷ, ବେଲ, ପାରିଜାତ, ଅଁଳା, ଅଶୋକ ଚାରା ରୋପଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ସମସ୍ତ ବ୍ୟବସ୍ଥାକୁ ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରିଥିଲେ |

Breaking News