ରିପୋର୍ଟ କାର୍ଡ / ମୁମ୍ବାଇ
ମୁମ୍ବାଇର ଅନ୍ଧେରୀଠାରେ ଥିବା ଏକ ଡ୍ୟାନ୍ସ ବାର ଉପରେ ଚଢ଼ାଉ କରି ପୋଳିଏ ୧୭ ଜଣ ମହିଳାଙ୍କୁ ଉଦ୍ଧାର କରିଥିବା ସୂଚନ ମିଳୁଛି । ପୋଲିସ ଚଢ଼ାଉ କରୁଥିବା ସୂଚନା ପାଇ ମହିଳାମାନଙ୍କୁ ମେକ୍-ଅପ୍ ରୁମ୍ ସହ ସଂଯୋଗ ଥିବା ଏକ ଗୁପ୍ତ ଭୂତଳ କୋଠରିରେ ଲୁଚାଇ ରଖାଯାଇଥିଲା। ସୂଚନାଯୋଗ୍ୟ ଯେ, ମୁମ୍ବାଇର ଅନ୍ଧେରୀ ବଜାରରେ ଥିବା ଦୀପା ବାର୍ରେ ମହିଳାମାନଙ୍କୁ ଗ୍ରାହକଙ୍କ ଆଗରେ ନଚାଯାଉଥିବା ଖବର ପାଇ ଶନିବାର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତେବେ ପୋଲିସର ଯୋଜନା ଅନୁଯାୟୀ ସର୍ଚ୍ଚ ଅପରେସନ କରାଯାଇପାରି ନ ଥିଲା। କାରଣ ସାଧାରଣତଃ ବାର୍ ଗର୍ଲଙ୍କୁ ଲୁଚାଯାଉଥିବା ସ୍ଥାନଗୁଡ଼ିକ ହେଲା ଗାଧୁଆଘର, ଷ୍ଟୋର୍ ରୁମ୍ ଓ ଏପରି କି ରୋଷେଇଘର। କିନ୍ତୁ ପୋଲିସ ଏସବୁଗୁଡ଼ିକ ଖୋଜି କାହାକୁ ପାଇଲା ନାହିଁ। ବାର୍ ମ୍ୟାନେଜର, କ୍ୟାଶିୟର ଓ ୱେଟରଙ୍କୁ ପଚରାଯାଇଥିଲେ ମଧ୍ୟ ସେମାନଙ୍କଠାରୁ କିଛି ସୁରାକ ମିଳିଲା ନାହିଁ। ସେଠାରେ କୌଣସି ମହିଳାଙ୍କୁ ବାର୍ ଗର୍ଲ ଭାବେ ବ୍ୟବହାର କରାଯାଉଥିବା ଅଭିଯୋଗକୁ ସେମାନେ ସମ୍ପୂର୍ଣ୍ଣ ଅସ୍ବୀକାର କରିଥିଲେ। ତେବେ ମେକ୍-ଅପ୍ ରୁମ୍ରେ ଥିବା ଏକ ବିରାଟ ଦର୍ପଣ ପୋଲିସ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କଲା। ଦର୍ପଣକୁ ଘୁଞ୍ଚାଇବାକୁ ଚେଷ୍ଟା କଲେ ମଧ୍ୟ ତାହା ଘୁଞ୍ଚିଲା ନାହିଁ। କାରଣ ରଣନୀତିକ ଭାବେ ଏହି ଦର୍ପଣକୁ ସେଠାରେ ଲଗାଯାଇଥିଲା। ଏହା ଉପରେ ପୁଲିସର ସନ୍ଦେହ ବଢ଼ିଗଲା। ତେଣୁ ପୋଲିସ ହାତୁଡ଼ିରେ ପିଟି ଦର୍ପଣକୁ ଭାଙ୍ଗିବା ପରେ ତା’ ପଛରେ ଏକ ଭୂତଳ ଗୁପ୍ତ କୋଠରି ଥିବା ଜଣାପଡ଼ିଲା। ଏହା ଭିତରେ ୧୭ ଜଣ ମହିଳାଙ୍କୁ ଲୁଚେଇ ରଖାଯାଇଥିଲା। ଏହି କୋଠରିରେ ଏସି, ବେଡ୍ ଓ ସବୁ ପ୍ରକାର ସୁବିଧା ଥିଲା। ମହିଳାମାନଙ୍କୁ ଉଦ୍ଧାର କରାଯିବା ସହ ବାର୍ର ମାଲିକ, ମ୍ୟାନେଜର, କ୍ୟାଶିୟର ଆଦିଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……