Report Card Odisha

| Daily Odia News

ପତ୍ନୀଙ୍କ ଫୋନ କଲ ରେକର୍ଡ କରିବା ଅପରାଧ:କୋର୍ଟ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିନା ଅନୁମତିରେ ପତ୍ନୀଙ୍କ ଫୋନ କଲ ରେକର୍ଡ କରିବା ଏକ ଅପରାଧ | ମଙ୍ଗଳବାର ପଞ୍ଜାବ-ହରିୟାଣା ହାଇକୋର୍ଟ ଏଭଳି କିଛି ରାୟ ଦେଇଛନ୍ତି | ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ଛାଡପତ୍ର ମାମଲାରେ ବଠିଣ୍ଡା ଫ୍ୟାମିଲି କୋର୍ଟର ଆଦେଶକୁ ଖାରଜ କରି ହାଇକୋର୍ଟ କହିଛନ୍ତି ଯେ ପତ୍ନୀଙ୍କ ଫୋନ୍ ବାର୍ତ୍ତାଳାପର ରେକର୍ଡିଂ ତାଙ୍କ ଗୋପନୀୟତାର ଉଲ୍ଲଂଘନ । ଜଷ୍ଟିସ୍ ଲିସା ଗିଲଙ୍କ ଖଣ୍ଡପୀଠ ଗତ ମାସରେ ବଠିଣ୍ଡା ଫ୍ୟାମିଲି କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରିଥିବା ଜଣେ ମହିଳାଙ୍କ ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ବଠିଣ୍ଡା ଫ୍ୟାମିଲି କୋର୍ଟ ମହିଳାଙ୍କ ସ୍ୱାମୀଙ୍କୁ ତାଙ୍କ ପତ୍ନୀଙ୍କ ମଧ୍ୟରେ ରେକର୍ଡ ହୋଇଥିବା ବାର୍ତ୍ତାଳାପ ସମ୍ବନ୍ଧୀୟ ସିଡ଼ିକୁ ପ୍ରମାଣ ଭାବେ ଗ୍ରହଣ କରିବାକୁ ଅନୁମତି ଦେଇଥିଲେ | ତେବେ ପତ୍ନୀଙ୍କ ଅଜାଣତରେ ଟେଲିଫୋନ୍ ବାର୍ତ୍ତାଳାପର ରେକର୍ଡିଂ ତାଙ୍କ ଗୋପନୀୟତାର ସ୍ପଷ୍ଟ ଉଲ୍ଲଂଘନ ବୋଲି ହାଇକୋର୍ଟ କହିଛନ୍ତି। ସେହିପରି ବାର୍ତ୍ତାଳାପ କେଉଁ ପରିସ୍ଥିତିରେ ହୋଇଥିଲା କିମ୍ବା ବାର୍ତ୍ତାଳାପକୁ ରେକର୍ଡିଂ କରୁଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟ କଣ ଥିଲା, ତାହା ସ୍ପଷ୍ଟ ହୋଇନଥିବାରୁ ଏହାକୁ ପ୍ରମାଣ ଭାବେ ବ୍ୟବହାର କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି | ସୂଚନା ମୁତାବକ ମହିଳାଙ୍କଠାରୁ ଛାଡପତ୍ର ପାଇଁ ତାଙ୍କ ସ୍ୱାମୀ ୨୦୧୭ ରେ ଏକ ଆବେଦନ କରିଥିଲେ। ସେମାନେ ୨୦୦୯ ରେ ବିବାହ କରିଥିଲେ ଏବଂ ଏହି ଦମ୍ପତିଙ୍କର ଏକ ଝିଅ ଅଛି | ତେବେ ଜୁଲାଇ, ୨୦୧୯ ରେ ମହିଳାଙ୍କ ସ୍ୱାମୀ ମୋବାଇଲ ଫୋନ ମାଧ୍ୟମରେ ହୋଇଥିବା ବାର୍ତ୍ତାଳାପକୁ ପ୍ରମାଣ ଭାବେ ଉପସ୍ଥାପିତ କରିବାକୁ ଅନୁମତି ମାଗିଥିଲେ | ୨୦୨୦ ମସିହାରେ ଫ୍ୟାମିଲି କୋର୍ଟ ଏହାକୁ ପ୍ରମାଣ ଭାବେ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ | ଯାହାକୁ ନେଇ ପତ୍ନୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ | ଏହାକୁ ନେଇ ମହିଳାଙ୍କ ଓକିଲ କହିଛନ୍ତି ଯେ ସ୍ୱାମୀ ଦେଇଥିବା ପ୍ରମାଣ, କୌଣସି ଦସ୍ତାବିଜ ଆଧାରିତ ନୁହେଁ | ତେଣୁ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ | ସେହିପରି କଲ ରେକର୍ଡିଙ୍ଗ କରିବା ଦ୍ୱାରା ସମ୍ପୂର୍ଣ୍ଣ ଭାବେ ପତ୍ନୀଙ୍କ ଗୋପନୀୟତାର ଉଲ୍ଲଂଘନ ହୋଇଛି ଓ ଏହା ଦ୍ୱାରା ଭାରତର ସମ୍ବିଧାନର ଧାରା ୨୧ କୁ ଉଲ୍ଲଂଘନ କରାଯାଇଛି, କାରଣ ଅନୁମତି ବିନା କଥାବାର୍ତ୍ତା ରେକର୍ଡ କରାଯାଇଛି।

Breaking News