ରିପୋର୍ଟ କାର୍ଡ / ଭୁବନେଶ୍ୱର
ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଇତିହାସ ଲେଖିଛି ଓଡ଼ିଶା | ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ତ୍ୱରିତ ଏବଂ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ଆଜି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଉଦଘାଟିତ ହୋଇଯାଇଛି । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଜ ପତାକା ଦେଖାଇ ବାୟୁ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ କରିଛନ୍ତି। ଏକ ଡାକ୍ତରୀ ଦଳକୁ ନେଇ ଭୁବନେଶ୍ୱରରୁ ମାଲକାନଗିରିକୁ ପ୍ରଥମ ବିମାନ ଉଡାଣ କରିଥିଲା । ସୂଚନାଯୋଗ୍ୟ-ଏହି ସେବାର ପ୍ରାଥମ ପର୍ଯ୍ୟାୟରେ ଆଦିବାସୀବହୁଳ ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡି ଆଦି ୪ ଜିଲ୍ଲାର ଲୋକେ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ପାଇପାରିବେ। ବିଭିନ୍ନ ମେଡିକାଲ କଲେଜ ଓ କର୍ପୋରେଟ ହସପିଟାଲଗୁଡିକର ଦକ୍ଷ ଓ ସ୍ୱନାମଧନ୍ୟ ଡାକ୍ତରମାନେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଏହିସବୁ ଜିଲ୍ଲାର ଚିକିତ୍ସାଳୟକୁ ବିମାନ ଯୋଗେ ଯାଇ ସେଠରେ ହୃଦରୋଗୀ, ସ୍ନାୟୁରୋଗୀ, କିଡନି ଓ ମୂତ୍ରାଶୟ ରୋଗୀଙ୍କ ଭଳି ସୁପର ସ୍ପେଶାଲିଟି ସେବା ଆବଶ୍ୟକ କରୁଥିବା ରୋଗୀଙ୍କର ପରୀକ୍ଷା ଓ ଚିକିତ୍ସା କରିବେ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ଏହି ସେବାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହିତ ଏହାଦ୍ୱାରା ଏହି ୪ଟି ଜିଲାର ଗରିବ ଜନସାଧାରଣ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ଆଶା ପ୍ରକାଶ କରିଥିଲେ । ବିମାନ ବନ୍ଦରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭି କେ ପାଣ୍ଡିଆନ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..