ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ସପ୍ତାହରେ ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ । ଫେବ୍ରୁଆରି ଦ୍ବିତୀୟ ସପ୍ତାହରୁ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପାଇଁ ଆବଶ୍ୟକ ପ୍ରକ୍ରିୟା ଚୂଡ଼ାନ୍ତ ହୋଇସାରିଛି। କେବଳ ତାରିଖ ଘୋଷଣା ବାକି ରହିଛି। ଆସନ୍ତା ସପ୍ତାହ ୨୭ରୁ ୨୯ ତାରିଖ ଭିତରେ ରାଜ୍ୟ ନିର୍ବାଚନ କମିସନର୍ ତାରିଖ ଘୋଷଣା କରିପାରନ୍ତି । ପାଞ୍ଚ ପର୍ଯ୍ୟାୟରେ ହେବାକୁ ଥିବା ଏହି ମତଦାନ ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ଆରମ୍ଭ ହେବାକୁ ଆପାତତଃ ସ୍ଥିର ହୋଇଛି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ କମିସନ୍ ଚଳିତ ସପ୍ତାହରେ ସର୍ବଦଳୀୟ ବୈଠକ ଡାକିବା ପାଇଁ ଯୋଜନା ଚଳାଇଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବା ଏକ ପ୍ରକାର ନିଶ୍ଚିତ ହୋଇଥିଲେ ବି ନିର୍ବାଚନ ହେବା ନେଇ ଆଶଙ୍କା ରହିଛି। ଯଦି ମତଦାନ ଭିତରେ କୋଭିଡ୍ ତୃତୀୟ ଲହର ଆସେ, ତେବେ ନିର୍ବାଚନ ଘୁଞ୍ଚିବା ନିଶ୍ଚିତ। ଓମିକ୍ରନ୍ ଦେଶର ବିଭିନ୍ନ ସ୍ଥାନରେ ଚିହ୍ନଟ ହେଉଥିଲେ ବି ଓଡ଼ିଶାରେ ଏ ଯାଏ ଚିହ୍ନଟ ହୋଇ ନାହିଁ। କୋଭିଡ୍ ସଂକ୍ରମଣ ମଧ୍ୟ ନିୟନ୍ତ୍ରଣରେ ରହିଛି। କିନ୍ତୁ ଜାନୁଆରି କିମ୍ବା ଫେବ୍ରୁଆରିରେ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ଆକଳନ କରୁଥିବାରୁ ନିର୍ବାଚନ ଘୁଞ୍ଚିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଚଳିତ ଥର ୬୭୯୪ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ସଭ୍ୟ, ୯୧ ହଜାର ୯୧୬ ୱାର୍ଡମେମ୍ବର ଓ ୮୫୩ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତି ପର୍ଯ୍ୟାୟ ମଧ୍ୟରେ ଦିନେ ଦୁଇ ଦିନ ବ୍ୟବଧାନ ରହିବ। ପ୍ରତି ବ୍ଲକ୍ କୁ ଗୋଟିଏ ୟୁନିଟ୍ ଭାବେ ଧରାଯିବ। ଏହି ବ୍ଲକ୍ ଅଧୀନରେ ଥିବା ସମସ୍ତ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ ଓ ୱାର୍ଡ ପାଇଁ ଭୋଟ୍ ଗ୍ରହଣ ଗୋଟିଏ ଦିନରେ କରାଯିବ। ଏଥର ବୁଥରେ ଭୋଟ୍ ଗଣତି ନ ହୋଇ ସମ୍ପୂର୍ଣ୍ଣ ପାଞ୍ଚ ପର୍ଯ୍ୟାୟ ମତଦାନ ଶେଷ ହେଲା ପରେ ବ୍ଲକ୍ ସ୍ତରରେ ଭୋଟ୍ ଗଣତି ହେବ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..