Report Card Odisha

| Daily Odia News

ବର୍ଷ ଆରମ୍ଭରୁ ରାଜଧାନୀରେ ୨ ହତ୍ୟାକାଣ୍ଡ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବର୍ଷ ଆରମ୍ଭରୁ ରାଜଧାନୀ ଭୁବନେଶ୍ୱରରେ ଘଟିଯାଇଛି ୨ଟି ହତ୍ୟାକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ସୁନ୍ଦରପଦା ନୂଆସାହିରେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଆଜି ସକାଳୁ ସକାଳୁ ମଞ୍ଚେଶ୍ଵର ଥାନା କେନାଲ ରୋଡ ଅଞ୍ଚଳର କେନାଲ ଭିତରୁ ମିଳିଛି ଆଉ ଏକ ମୃତଦେହ। ଏହି ୨ ଘଟଣାର ତଦନ୍ତ ପୋଲିସ ଆରମ୍ଭ କରିଥିବା ବେଳେ ଅପରାଧୀଙ୍କ ସୁରାକ ପାଇପାରିନି। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ହତ୍ୟାକାରୀକୁ ୨୪ ଘଣ୍ଟା ମଧ୍ୟରେ ଗିରଫ ଦାବିରେ ସ୍ଥାନୀୟ ଲୋକେ ସୁନ୍ଦରପଦାରେ ରାସ୍ତାରୋକ କରିଛନ୍ତି । ଏୟାରଫିଲ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ସୁନ୍ଦରପଦା ଓ ମାଳିଆ କପିଳେଶ୍ୱର ୪ଟି ଗ୍ରୁପ ନୂଆସାହି ପୋଖରୀ ତୁଠରେ ଭୋଜି କରୁଥିଲେ । କୌଣସି କଥାକୁ ନେଇ ୨ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ତେବେ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଥିଲା। ଏହାପରେ ପୁଣି କପିଳେଶ୍ୱର ଗାଁର କିଛି ଯୁବକ ଆସି ପାଟିତୁଣ୍ଡ କରିଥିଲେ ଏହି ସମୟରେ ସେହି ସ୍ଥାନର ଏକ ଘରେ ଶୋଇଥିବା ଦିପୁ କଣ ହୋଇଛି ଦେଖିବାକୁ ଆସିଥିବା ବେଳେ ତାଙ୍କୁ ତିନିଜଣ ଯୁବକ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏ ନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଅପରପକ୍ଷେ, ମଞ୍ଚେଶ୍ଵର ଥାନା କେନାଲ ରୋଡର କେନାଲ ଭିତରୁ ଏକ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ସମେତ ଏକ ବାଇକ୍‌ ମଧ୍ୟ କେନାଲରେ ପଡ଼ିଛି। ଯୁବକ ଜଣକ ପଟିଆ ଅଞ୍ଚଳର ବୋଲି ମଞ୍ଚେଶ୍ୱର୍ ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି |

Breaking News