ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୧୫ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ । ମଙ୍ଗଳବାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ବୁଧବାର ବି ବର୍ଷା ଜାରି ରହିଛି । ୧୩ ଓ ୧୪ ତାରିଖରେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ମଙ୍ଗଳବାର ଠାରୁ ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବହିବା ଆରମ୍ଭ ହୋଇଛି । ୧୬ରୁ ପୁଣି ଉତ୍ତରା ପବନ ବହିବ । ତାପମାତ୍ରା ବି କିଛି କମିପାରେ । ସାଟେଲାଇଟ୍ ଉତ୍ତୋଳନ କରିଥିବା ଛବିକୁ ବିଶ୍ଲେଷଣ କରି ପ୍ରଫେସର ପଶୁପାଳକ କହିଛନ୍ତି, ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପଶ୍ଚିମ ସୀମାନ୍ତ ଜିଲ୍ଲାରେ ମେଘୁଆ ପାଗ ଆରମ୍ଭ ହୋଇଯାଇଛି । ୧୨ରୁ ୧୫ ଯାଏ ସାରା ରାଜ୍ୟରେ ପାଗ ମେଘୁଆ ରହିବ । ମଙ୍ଗଳବାର ରାତିରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସଂଲଗ୍ନ ଜିଲ୍ଲାରେ ହାଲୁକା ବର୍ଷା ହେବ । ବୁଧବାର ରାତି ସାରା ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ଆଶଙ୍କା ରହିଛି । ୧୨ରୁ ୧୫ ଯାଏ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ଜାରି ରହିବ । ଜିଲ୍ଲାରେ ହାରାହାରି ୪୦ ମିଲିମିଟର ବର୍ଷା ହୋଇପାରେ । କିଛି ସ୍ଥାନରେ ୫୦ ମିଲିମିଟରରୁ ଅଧିକ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ୧୬ରୁ ୧୯ ତାରିଖ ଯାଏ ପାଗ ଶୁଖିଲା ଓ ଖରାଟିଆ ରହିବ । ୧୨ରୁ ୧୪ ଯାଏ ଦିନବେଳା ପାଗ କୋହଲା ରହିବ । ୧୨ ରାତିରୁ ୧୫ ରାତି ଯାଏ ଘନ କୁହୁଡି ହେବ । ୨୦ ଓ ୨୧ରେ ପୁଣି ମେଘୁଆ ପାଗ ହୋଇପାରେ ବୋଲି ପ୍ରଫେସର ପଶୁପାଳକ ଆଶଙ୍କା କରିଛନ୍ତି । ବର୍ଷା କାରଣରୁ ଆଳୁ ଓ ଟମାଟୋରେ ପତ୍ରପୋଡ଼ା ରୋଗ ଆଶଙ୍କା ରହିଛି । ବର୍ଷା ଓ ଲକ୍ଷଣ ଦେଖା ଯିବା ପୂର୍ବରୁ ମେଙ୍କୋଜେବ୍ ଔଷଧ ସିଞ୍ଚନ କରନ୍ତୁ । ପନିପରିବା ଓ ଅଣଧାନ ଶସ୍ୟ ଫସଲରୁ ଜଳ ନିଷ୍କାସନ ସୁବିଧା କରିବା ସହ ଅମଳ ଧାନକୁ ସୁରକ୍ଷିତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।
More Stories
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..
‘ବିକଶିତ ଗାଁ,ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ….
ବସ୍ତି ଭିତରକୁ ପଶିଗଲା ମାଲଗାଡ଼ି ଟ୍ରେନ୍…..