ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ହେଉଛି ମକର ସଂକ୍ରାନ୍ତି | ପ୍ରତି ବର୍ଷ ଜାନୁଆରୀ ୧୪ ତାରିଖରେ ପାଳନ କରାଯାଏ। ଏହାକୁ ଉତ୍ତରାୟଣ ବୋଲି ମଧ୍ୟ କୁହାଯାଏ। ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି। ସେଥିପାଇଁ ଏହି ସଂକ୍ରାନ୍ତିକୁ ମକର ସଂକ୍ରାନ୍ତି କୁହାଯାଏ। ମକର ସଂକ୍ରାନ୍ତିରେ ସୂର୍ଯ୍ୟଦେବଙ୍କୁ ପୂଜା କରାଯାଏ। ସାରା ଦେଶରେ ଏହି ଦିନକୁ ବହୁତ ଧୂମଧାମରେ ପାଳନ କରାଯାଏ। ଦେଶର ବିଭିନ୍ନ ରାଜ୍ୟରେ ମକର ସଂକ୍ରାନ୍ତି ଭିନ୍ନ ଭିନ୍ନ ନାଁରେ ଜଣାଶୁଣା। ଏହି ଦିନ ଆସାମରେ ବିହୁ ଓ ଦକ୍ଷିଣ ଭାରତରେ ପୋଙ୍ଗଲ ପର୍ବ ପାଳନ କରାଯାଏ। ଗୁଜୁରାଟ, ମହାରାଷ୍ଟ୍ରରେ ଏହି ଦିନ ଉତ୍ତରାୟଣ ପାଳନ କରାଯାଏ। ପଞ୍ଜାବରେ ଦିନେ ପୂର୍ବରୁ ଲୋହରୀ ପର୍ବ ପାଳନ କରାଯାଏ। ମକର ସଂକ୍ରାନ୍ତିରେ ଶୀତ ଋତୁ ସମାପ୍ତ ହେବାକୁଲାଗେ ଓ ଦିନ ବଡ ହୋଇଥାଏ ବୋଲି କୁହାଯାଏ। ଦକ୍ଷିଣରେ ମକର ସଂକ୍ରାନ୍ତି ଠାରୁ ବର୍ଷ ଆରମ୍ଭ ହୁଏ। ଏହିଦିନ ଦକ୍ଷିଣ ଭାରତର ପ୍ରତ୍ୟେକ ପରିବାର ଉତ୍ସବକୁ ବେଶ୍ ଆନନ୍ଦ, ଉଲ୍ଲାସରେ ପାଳନ କରିଥାନ୍ତି। ଘରଦ୍ବାରକୁ ଭଲଭାବେ ପରିଷ୍କାର କରି ଦାଣ୍ଡ ଦୁଆରେ ମୁରୁଜ, ଚିତା ପକାଇ ଅତିଥିଙ୍କୁ ସ୍ବାଗତ କରାଯାଏ। ୩ଦିନ ବ୍ୟାପୀ ଏହି ପର୍ବକୁ ପାଳନ କରାଯିବା ସହ ଏଇ ସମୟରେ ସେମାନେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରନ୍ତି। ପର୍ବର ପ୍ରଥମଦିନ ପ୍ରତ୍ୟେକ ପରିବାରରେ ବିଭିନ୍ନ ପ୍ରକାରର ପିଠାପଣା ତିଆରି ହୁଏ। ଏ ଦୁଇଦିନ ଯାକ ସେମାନେ ନିରାମିଷ ଭୋଜନ କରନ୍ତି। ପର୍ବର ତୃତୀୟ ଦିନ ବ୍ରାହ୍ମଣମାନଙ୍କ ବ୍ୟତୀତ ଅନ୍ୟମାନେ ଆମିଷ ଆହାର କରି ଉତ୍ସବ ପାଳନ୍ତି। ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୁଏ। ଆଲୋକ ଓ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁ ଗୃହସ୍ଥମାନେ ଏ ସଂକ୍ରାନ୍ତିରେ ପୂଜାର୍ଚ୍ଚନା କରନ୍ତି। ଓଡ଼ିଶାରେ ମକର ସଂକ୍ରାନ୍ତି ଦିନ ଲୋକେ ଘରେ ଗୃହଦୋଷ ଶାନ୍ତ କରିବା ପାଇଁ ହୋମ କରନ୍ତି। ଆମ ଓଡ଼ିଆ ଘରେ ଏଇ ଦିନ ଅରୁଆ ଚାଉଳ, ନୂଆ ଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, ଦୁଧ ଇତ୍ୟାଦି ମିଶାଇ ସୁମିଷ୍ଟ ଭୋଗ ପ୍ରସ୍ତୁତ କରି ଦେବଦେବୀଙ୍କ ପାଖେ ଅର୍ପଣ କରାଯାଏ। ଏହି ଭୋଗକୁ ‘ମକର ଚାଉଳ’ କୁହାଯାଏ। ମକର ସଂକ୍ରାନ୍ତିରେ କେତେକ ତୀର୍ଥ ସ୍ଥାନରେ ବୁଡ଼ ପକାଇବାର ବିଧି ଅଛି।
More Stories
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..
ଦାମ୍ପତୃ ଜୀବନ ମଧୁମୟ ହେବ…..
ଆଜି ପବିତ୍ର ବସନ୍ତ ପଞ୍ଚମୀ ଓ ସରସ୍ବତୀ ପୂଜା…..