Report Card Odisha

| Daily Odia News

ସାଧାରଣତନ୍ତ୍ର ଦିବସ ଉତ୍ସବରେ ହେବ ଓଡ଼ିଶୀ ନୃତ୍ୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସାଧାରଣତନ୍ତ୍ର ଦିବସ ଉତ୍ସବରେ ପ୍ରଥମଥର ପାଇଁ ପରିବେଷଣ ହେବ ଓଡ଼ିଶୀ ନୃତ୍ୟ । ଦିଲ୍ଲୀ ରାଜପଥରେ ସାରା ବିଶ୍ବବାସୀଙ୍କୁ ଏହି ଶାସ୍ତ୍ରୀୟ ନୃତ୍ୟର ମହକ ଦେଖିବାକୁ ମିଳିବ। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଦ୍ବାରା ସର୍ବଭାରତୀୟ ସ୍ତର‌ରେ ଆୟୋଜିତ ‘ବନ୍ଦେ ମା’ ତରମ୍‌ ନୃତ୍ୟ ଉତ୍ସବ’ ପ୍ରତିଯୋଗିତାର ଗ୍ରାଣ୍ଡ୍‌ ଫାଇନାଲ୍‌ରେ ଚୟନ ହୋଇ ଦିଲ୍ଲୀରେ ୪୮୦ କଳାକାର ପହଞ୍ଚିଛନ୍ତି। ଚୟନ ହୋଇଥିବା କଳାକାରମାନଙ୍କ ଦ୍ବାରା ଶାସ୍ତ୍ରୀୟ ନୃତ୍ୟ, ଲୋକନୃତ୍ୟ ଏବଂ ଫ୍ୟୁଜନ୍‌ ନୃତ୍ୟ ପରିବେଷଣ କରାଯିବ। ଲୋକନୃତ୍ୟ ଏବଂ ଫ୍ୟୁଜନ୍‌ ବିଭାଗରେ କ‌ୌଣସି ଓଡ଼ିଆ କଳାକାରଙ୍କୁ ଚୟନ କରାଯାଇ ନାହିଁ। ତେବେ ୮ ଟି ଶାସ୍ତ୍ରୀୟ ନୃତ୍ୟ ମଧ୍ୟରୁ ଓଡ଼ିଶୀ ନୃତ୍ୟ ପାଇଁ ଅନୁଗୁଳର ‘ନୃତ୍ୟ ନିଳୟ’ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଅନୁଷ୍ଠାନରୁ ୧୦ ଜଣ କଳାକାରଙ୍କୁ ଚୟନ କରାଯାଇଛି। ଗୁରୁ ସ୍ବପ୍ନାରାଣୀ ସିହ୍ନା‌ଙ୍କ ନିର୍ଦ୍ଦେଶନା ତଥା କୋରିଓଗ୍ରାଫିରେ ଏହି କଳାକାରମାନେ ଦିଲ୍ଲୀ ରାଜପଥରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ଏହି ଅନୁଷ୍ଠାନର କଳାକାରମାନେ ଦେଶବିଦେଶରେ ବହୁ ସୁନାମ ଅର୍ଜନ କରିଛନ୍ତି। ଅନୁଷ୍ଠାନର କଳାକାରମାନଙ୍କ ଦ୍ବାରା ସର୍ବୋତ୍ତମ ନୃତ୍ୟ ପରିବେଷଣ କରାଯିବ ସ୍ବପ୍ନାରାଣୀ କହିଛନ୍ତି। ସେହି ଭଳି ରାଜପଥରେ ଓଡ଼ିଶୀ ପରିବେଷଣ ପାଇଁ ଦିଲ୍ଲୀର ‘ସଂଚାରୀ ଫାଉଣ୍ଡେସନ୍‌’ର ୧୦ ଜଣ ଓଡ଼ିଶୀ ନୃତ୍ୟ କଳାକାରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ଦ୍ବାରା ଚୟନ କରାଯାଇଛି। ଏମାନଙ୍କ ସହ ମଧ୍ୟ ’ନୃତ୍ୟାଞ୍ଜଳି କ୍ରିଏସନ’ର କଳକାରମାନେ ସାମିଲ ଅଛନ୍ତି। ‘ସଂଚାରୀ ଫାଉଣ୍ଡେସନ୍‌’ ଓ ‘ନୃତ୍ୟାଞ୍ଜଳି କ୍ରିଏସନ୍‌’ର କଳାକାରମାନଙ୍କୁ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା କବିତା ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନୃତ୍ୟ ଶିକ୍ଷା ଦିଆଯାଇଛି। ରାଜପଥରେ ‘ସଂଚାରୀ ଫାଉଣ୍ଡେସନ୍‌’ର କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବା ଗର୍ବ ଓ ଗୌରବର ବିଷୟ ବୋଲି କବିତା କହିଛନ୍ତି। ସାଧାରଣତନ୍ତ୍ର ଦିବସରେ ନୃତ୍ୟ ପରିବେଷଣ ପାଇଁ ଉଭୟ ‘ନୃତ୍ୟ ନିଳୟ’ ଓ ‘ସଂଚାରୀ ଫାଉଣ୍ଡେସନ୍‌’ର କଳାକାରମାନେ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ପ୍ରସ୍ତୁତି ଜାରି ରଖିଛନ୍ତି।

Breaking News