ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମାନାଲି ଓ ଲାହାଉଲ୍ ସ୍ପିତି ଉପତ୍ୟକାକୁ ସଂଯୋଗ କରୁଥିବା ରାଜପଥର ରୋହତଙ୍ଗ ଗିରିପଥରେ ନିର୍ମିତ ଅଟଳ ଟନେଲ ବିଶ୍ବ ରେକର୍ଡରେ ସ୍ଥାନ ପାଇଛି। ସମୁଦ୍ର ପତ୍ତନରୁ ୧୦ହଜାର ଫୁଟ ଉଚ୍ଚରେ ଏହା ବିଶ୍ବର ସର୍ବୋଚ୍ଚ ତଥା ସୁଦୀର୍ଘ ସୁଡ଼ଙ୍ଗ ରାଜପଥ ଭାବେ ରେକର୍ଡ କରିଛି। ଏହି ୯.୦୨ କିଲୋମିଟର ଦୀର୍ଘ ସୁଡ଼ଙ୍ଗ ପଥ ୨୦୨୦ ଅକ୍ଟୋବର ୩ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା। ପୂର୍ବରୁ ଶୀତ ଋତୁ ସହିତ ବର୍ଷକୁ ୬ମାସ ଏହି ରାଜପଥ ବନ୍ଦ ରହିଥାଏ; କିନ୍ତୁ ଏହି ଟନେଲ ନିର୍ମାଣ ଦ୍ବାରା ମାନାଲି ଓ ସାର୍ଚୁ ମଧ୍ୟରେ ୪୬କିମି ଦୂରତା ହ୍ରାସ ପାଇବା ସହ ବର୍ଷ ବ୍ୟାପୀ ଗମନାଗମନ ସୁବିଧା ହୋଇପାରିଛି। ଲାହାଉଲ ଓ ସ୍ପତି ଉପତ୍ୟକା ଆଉ ମୁଖ୍ୟାଞ୍ଚଳରୁ ବିଚ୍ଛିନ୍ନ ହେଉ ନାହିଁ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନାନୁଯାୟୀ, ବ୍ରିଟେନରେ ଆୟୋଜିତ ଏକ ବିଶେଷ ଉତ୍ସବରେ ଭାରତୀୟ ସେନାର ବର୍ଡର ରୋଡ୍ସ ଅର୍ଗାନାଇଜେସନ୍ (ବିଆରଓ)ର ମହାନିର୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଚୌଧୁରୀ ଏ ସମ୍ପର୍କିତ ପୁରସ୍କାର ଗ୍ରହଣ କରିଛନ୍ତି। ଏହି ସୁଡ଼ଙ୍ଗ ପଥ ବିଆରଓ ଦ୍ବାରା ନିର୍ମିତ ହୋଇଥିଲା। ଏହାକୁ ଯାନ୍ତ୍ରିକ ବିଦ୍ୟାର ଏକ ବିସ୍ମୟ ବୋଲି କୁହାଯାଏ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..