Report Card Odisha

| Daily Odia News

ପ୍ରେମରେ ଧୋକ୍କା ଖାଇ ଫ୍ୟାନ୍‌ରେ ଝୁଲିପଡିଲେ ଯୁବକ……

ରିପୋର୍ଟ କାର୍ଡ / ଅନୁଗୁଳ

ଭାଲେଣ୍ଟାଇନ୍‌ ଡେ ରେ ଅନୁଗୁଳ ସହରର ଏକ ଅଭାବନୀୟ ଘଟଣା ଘଟିଛି । ପ୍ରେମରେ ପ୍ରତାରିତ ହୋଇ ଜଣେ ଯୁବକ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ମୃତକ ସୌଭାଗ୍ୟନଗରର ସ୍ୱର୍ଗତ ନିର୍ମଳ ପଟ୍ଟନାୟକଙ୍କ ପୁଅ ଅଭିଜିତ୍‌ ପଟ୍ଟନାୟକ(୨୭) ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିବା ସହ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି । ପରେ ଶବ ବ୍ୟବଚ୍ଛେଦ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି କଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମୁତାବକ, ମୃତ ଅଭିଜିତ୍‌ ସ୍କୁଲ ପାଠପଢ଼ା ବେଳରୁ ଅନୁଗୁଳ ସହରର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଏମିତିିକି ଉଭୟଙ୍କ ବିବାହ ପର୍ଯ୍ୟନ୍ତ କଥା ଯାଇଥିଲା । ତେବେ ପାରିବାରିକ ସମସ୍ୟା ବାହାଘରରେ କେଁ’ ସୃଷ୍ଟି କରିଥିଲା । ନିକଟରେ ଯୁବତୀଙ୍କ ଅନ୍ୟ ଜଣେ ଯୁବକଙ୍କ ସହ ନିର୍ବନ୍ଧ ହେବା ସହ ଆଉ କିଛି ଦିନ ପରେ ତାଙ୍କ ବିବାହ ପାଇଁ ତାରିଖ ମଧ୍ୟ ସ୍ଥିର ହୋଇଥିଲା । ପ୍ରେମରେ ଧୋକ୍କା ଖାଇବା ପରେ ଅଭିଜିତ୍‌ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିଲେ । ରବିବାର ସନ୍ଧ୍ୟାରେ ସାଙ୍ଗମାନଙ୍କ ସହ ସମୟ ବିତାଇଥିଲେ । ରାତି ପ୍ରାୟ ୧୧ଟା ବେଳକୁ ଘରକୁ ଫେରିଥିବା ବେଳେ ବିଳମ୍ବିତ ରାତିରେ ତାଙ୍କ ରୁମ୍‌ରେ ଫ୍ୟାନ୍‌ରେ ଝୁଲି ପଡିଥିଲେ । ସକାଳ ୮ଟା ପର୍ଯ୍ୟନ୍ତ ସେ ଘରର କବାଟ ନଖୋଲିବାରୁ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ହୋଇଥିଲା । କବାଟ ଠକ୍‌ ଠକ୍‌ କରିବା ସତ୍ତେ୍ୱ ସେ ଖୋଲିନଥିଲେ । ଝରକାରେ ଦେଖିଲା ବେଳକୁ ସେ ଫ୍ୟାନ୍‌ରେ ଝୁଲୁଥିଲେ । ତୁରନ୍ତ ଘରର କବାଟ ଭାଙ୍ଗି ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ଏଥିସହିତ ଉକ୍ତ ଘରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଥିଲା ପୋଲିସ । ପ୍ରେମରେ ଧୋକ୍କା ଖାଇବା ପରେ ଏଭଳି ନିଷ୍ପତ୍ତି ନେଇଥିବା ସୁଇସାଇଡାଲ୍‌ ନୋଟ୍‌ରେ ଉଲ୍ଲେଖ ରହିଥିଲା। କେବଳ ଏତିକି ନୁହଁ, ସୁଇସାଇଡ୍‌ ନୋଟ୍‌ରେ ଅଭିଜିତ୍‌ ତାଙ୍କ ମୋବାଇଲ୍‌, ପାସୱାର୍ଡ୍‌ ଠାରୁ ଆରମ୍ଭ କରି ଫେସବୁକ୍‌, ଟ୍ୱିଟରର ପାସୱାର୍ଡ୍‌ ମଧ୍ୟ ଲେଖିବା ସହ ପ୍ରେମିକାଙ୍କ ନାମ ମଧ୍ୟ ଉଲ୍ଲେଖ କରିଥିବା ଜଣାପଡିଛି । ମୃତ ଅଭିଜିତ୍‌ ଛେଣ୍ଡିପଦା ବ୍ଲକର ଏକ ଶିଳ୍ପସଂସ୍ଥାରେ କାମ କରୁଥିଲେ । ଜଣେ ମେଳାପୀ ଓ ମିଷ୍ଟଭାଷୀ ଯୁବକ ଭାବେ ସେ ସମସ୍ତଙ୍କ ପ୍ରିୟର ପାତ୍ର ହୋଇପାରିଥିଲେ । ସେ ଆତ୍ମହତ୍ୟା କରିଥିବା ଖବର ପବନ ବେଗରେ ପ୍ରସାର ହେବା ପରେ ତାଙ୍କ ଘର ସମ୍ମୁଖରେ ପ୍ରବଳ ଗହଳି ହେବା ସହ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପୋଲିସ ମୃତଦେହ ବ୍ୟବଚ୍ଛେଦ କରିବା ସହ ଜବତ ସୁଇସାଇଡ୍‌ ନୋଟ୍‌ ଆଧାରରେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Breaking News