Report Card Odisha

| Daily Odia News

ଶିକ୍ଷାନୀତିରେ ଅଭୂତପୂର୍ବ ପଦକ୍ଷେପ-‘ଡିଜିଟାଲ୍‌ ବିଶ୍ବବିଦ୍ୟାଳୟ’:ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତର ଜାତୀୟ ଶିକ୍ଷାନୀତିରେ ଡିଜିଟାଲ୍‌ ବିଶ୍ବବିଦ୍ୟାଳୟ ଏକ ଅଭୂତପୂର୍ବ ପଦକ୍ଷେପ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କାରଣ, ଏହା ଦେଶର ବିଶ୍ବବିଦ୍ୟାଳୟରେ ଦେଖା ଦେଉଥିବା ସିଟ୍‌ ଅଭାବଜନିତ ସମସ୍ୟାର ଅବସାନ ଘଟାଇବ। ଶିକ୍ଷାମନ୍ତ୍ରାଳୟଦ୍ବାରା ଆୟୋଜିତ ପୂର୍ଣ୍ଣାଙ୍ଗ ୱେବିନର୍‌ ଅଧିବେଶନରେ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଲେ ଯେ, କ୍ଷେତ୍ରବିଶେଷରେ ନୂଆ ଶିକ୍ଷାନୀତ ପ୍ରବର୍ତ୍ତନ କରାଇବାରେ ୨୦୨୨-୨୩ ବଜେଟ୍‌ ପ୍ରମୁଖ ଭୂମିକା ଗ୍ରହଣ କରିବ। ସୂଚନାଯୋଗ୍ୟ, ନୂତନ ଶିକ୍ଷାନୀତି ୨୦୨୨ କେନ୍ଦ୍ରୀୟ ବଜେଟ୍‌ରେ ଘୋଷଣା କରାଯାଇଥିଲା। କୋଭିଡ୍‌-୧୯ ମହାମାରୀ ସମୟରେ ଭାରତର ଶିକ୍ଷା ବ୍ୟବସ୍ଥାକୁ ଚଳାଇ ରଖିବାରେ ‘ଡିଜିଟାଲ୍‌ କନେକ୍ଟିଭିଟି’ର ଭୂମିକା ପ୍ରସଙ୍ଗରେ ଶ୍ରୋତାମାନଙ୍କୁ ସ୍ମରଣ କରାଇ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ତରୁଣ ପିଢ଼ି ହେଉଛନ୍ତି ଭାରତର ଭବିଷ୍ୟତ। ତେଣୁ, ଭାରତର ଭବିଷ୍ୟତର ନେତାମାନଙ୍କୁ ସମର୍ଥ କରାଇବାକୁ ପଡ଼ିବ। ଆଜିର ତରୁଣ ପିଢ଼ିଙ୍କୁ ସମର୍ଥ କରାଇବା ଅର୍ଥ ଭାରତର ଭବିଷ୍ୟତର ନେତାମାନଙ୍କୁ ସମର୍ଥ କରାଇବା। ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ମଧ୍ୟ କହିଛନ୍ତି ଯେ, ୨୦୨୨ କେନ୍ଦ୍ର ବଜେଟ୍‌ରେ ଶିକ୍ଷା କ୍ଷେତ୍ର ସହ ସମ୍ପୃକ୍ତ ଥିବା ୫ଟି ଜିନିଷ ଉପରେ ଖୁବ୍‌ ଗୁରୁତ୍ବ ଦିଆଯାଇଛି। ପ୍ରଥମଟି ହେଉଛି ଉନ୍ନତମାନ ଶିକ୍ଷାର ସାର୍ବଜନୀନକରଣ, ଦ୍ବିତୀୟଟି ହେଉଛି ଦକ୍ଷତା ବିକାଶ, ତୃତୀୟଟି ହେଉଛି ନଗରାଞ୍ଚଳ ଯୋଜନା ଏବଂ ନକ୍ସା। ସେହିପରି, ୪ଟି ହେଉଛି ଆନ୍ତର୍ଜାତିକୀକରଣ ଅର୍ଥାତ୍ ଭାରତରେ ଉନ୍ନତମାନର ବିଦେଶୀ ବିଶ୍ବବିଦ୍ୟାଳୟ ସ୍ଥାପନ ଏବଂ ପଞ୍ଚମଟି ହେଉଛି ‘ଆନିମେସନ୍‌ ଭିଜୁଆଲ୍‌ ଇଫେକ୍ଟସ୍‌ ଗେମିଙ୍ଗ୍‌ କମିକ୍‌’ (ଏଭିଜିସି)। ଜାତୀୟ ଶିକ୍ଷାନୀତି ପ୍ରବର୍ତ୍ତନ କରିବାରେ କେନ୍ଦ୍ର ବଜେଟ୍‌ ସହାୟକ ହେବ ବୋଲି ଗୁରୁତ୍ବାରୋପ କରି ପ୍ରଧାନମନ୍ତ୍ରୀ କହିଲେ, ଜାତୀୟ ଡିଜିଟାଲ୍‌ ବିଶ୍ବବିଦ୍ୟାଳୟ ଭାରତରେ ଦେଖା ଦେଉଥିବା ସିଟ୍‌ ଅଭାବ ସମସ୍ୟା ଦୂର କରିବ। ସିଟ୍‌ ସଂଖ୍ୟା ଅସୀମିତ ହୋଇଯିବ। ଯଥା ଶୀଘ୍ର ସମ୍ଭବ ଡିଜିଟାଲ୍‌ ୟୁନିଭର୍ସିଟି ଆରମ୍ଭ କରିବା ଲାଗି ସୁନିଶ୍ଚିତ ହେବା ପାଇଁ ମୁଁ ଦାୟିତ୍ବରେ ଥିବା ସମସ୍ତଙ୍କୁ ଅନୁରୋଧ କରୁଛି।

Breaking News