Report Card Odisha

| Daily Odia News

ହାତଗୋଡ଼ ବାନ୍ଧି ମୁଣ୍ଡରେ ପଥର ଛେଚି ହତ୍ୟା କଲେ ସାଙ୍ଗ…..

ରିପୋର୍ଟ କାର୍ଡ / ମୋହନା

ସାଙ୍ଗକୁ ଡାକି ନେଇ ହାତ ଓ ଗୋଡ଼ ବାନ୍ଧି ପଥରରେ ଛେଚି ହତ୍ୟା କଲେ ବନ୍ଧୁ। ଏପରି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଗାଁ ଲୋକଙ୍କ କହିବା ଅନୁସାରେ ଅଡ଼ବା ଥାନା ଲମ୍ବଡ଼ାଙ୍ଗ ଗ୍ରାମର ଜୋସେଫ୍‌ ନାୟକ ଥିଲେ ଜଣେ ଗଞ୍ଜେଇ ବେପାରୀ। ସେ ତିନି ସାଥୀଙ୍କ ସହ ମିଶି ଗଞ୍ଜେଇ ବେପାର କରୁଥିଲେ। ଜୋସେଫ୍‌ ନାୟକଙ୍କଠାରୁ ତାଙ୍କର ତିନି ସାଥୀ ଲକ୍ଷେ ଟଙ୍କା ନେଇଥିଲେ। ମାତ୍ର ଫେରାଉନଥିଲେ। ଯାହାକୁ ନେଇ ଜୋସେଫ୍‌ ଓ ତାଙ୍କ ସାଙ୍ଗଙ୍କ ମଧ୍ୟ ଝଗଡ଼ା ହୋଇଥିଲା। ଏଥିପାଇଁ ଗତ ବୁଧବାର ଗାଁରେ ବସିଥିଲା ଗ୍ରାମସଭା। ବୈଠକରେ ଆଲୋଚନା ପରେ ଜୋସେଫ୍‌ଙ୍କୁ ତାଙ୍କ ସାଙ୍ଗମାନେ ୩୦ ହଜାର ଟଙ୍କା ଫେରାଇ ଥିଲେ। ହେଲେ ବାକି ଟଙ୍କା ଦେଇନଥିଲେ। ଏହାକୁ ନେଇ ଜୋସେଫଙ୍କ ଉପରେ ତାଙ୍କର ତିନି ସାଙ୍ଗଙ୍କର ରାଗ ଥିଲା। ଜୋସେଫଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ବୁଧବାର ସନ୍ଧ୍ୟା ବେଳେ ଜୋସେଫଙ୍କୁ ତାଙ୍କର ତିନି ସାଙ୍ଗ ବିଭିନ୍ନ ବାହାନା କରି ମୋହନା ଥାନା ଅନ୍ତର୍ଗତ ଜଗନ୍ନାଥପୁରକୁ ଡାକି ନେଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ବକେୟା ଟଙ୍କାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ଭିତରେ ଜୋସେଫ୍‌ଙ୍କ ହାତ ଓ ଗୋଡ଼ ବାନ୍ଧି ଦେଇଥିଲେ। ତାଙ୍କ ପାଟିରେ ପଟି ମଧ୍ୟ ଗୋଡ଼ାଇ ଦେଇଥିଲେ। ତା’ପରେ ତାଙ୍କ ମୁଣ୍ଡକୁ ପଥରେ ଛେଚି ହତ୍ୟା କରିଥିଲେ। ହତ୍ୟା କରିବା ପରେ ଜୋସେଫଙ୍କ ବାଇକ୍‌ ଧରି ଫେରାର ହୋଇଯାଇଥିଲେ ତିନି ସାଙ୍ଗ। ଗୁରୁବାର ସକାଳେ ପଡ଼ିଆ ମଝିରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଏନେଇ ପୁଲିସକୁ ଖବର ଦେଇଥିଲେ। ସାଇଣ୍ଟିଫିକ୍‌ ଟିମ୍‌, ସନ୍ଧାନୀ କୁକୁର ସହ ପୁଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରିନଥିବା ବେଳେ ପରିବାର ଲୋକ ଜୋସେଫଙ୍କ ତିନି ସାଙ୍ଗଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି।

Breaking News