ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣ ପୁଣି ୧୪ ଦିନିଆ ରିମାଣ୍ଡରେ ଯାଇଛନ୍ତି। ଏନଏସ୍ଇର ଗୁପ୍ତ ତଥ୍ୟ ପ୍ରଘଟ ଓ ନିଜ ପଦର ଅପବ୍ୟବହାର ଭଳି ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଏବେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ସିବିଆଇ ତାଙ୍କୁ ୧୪ ଦିନିଆ ରିମାଣ୍ଡରେ ନେଇଛି। କୋର୍ଟରେ ଚିତ୍ରାଙ୍କ ଓକିଲ ଘରର ରନ୍ଧା ଖାଦ୍ୟ ଜେଲରେ ଯୋଗାଇ ଦେବାକୁ ଆବେଦନ କରିଥିଲେ। ହେଲେ କୋର୍ଟ ଚିତ୍ରାଙ୍କୁ କୌଣସି ପ୍ରକାରର ଭିଆଇପି ସୁବିଧା ଜେଲରେ ମିଳି ପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ହିମାଳୟର ଜଣେ ତଥା କଥିତ ଯୋଗୀଙ୍କୁ ଚିତ୍ରା ୨୦୧୩ରୁ ୨୦୧୬ ଯାଏ ସମସ୍ତ ପ୍ରକାରର ଗୁପ୍ତ ତଥ୍ୟ ଦେଉଥିଲେ। ଏଥିସହ ଯୋଗୀଙ୍କ କଥାରେ ଏନଏସ୍ଇରେ କର୍ମଚାରୀଙ୍କୁ ପଦନ୍ନୋତି ଓ ନିଯୁକ୍ତି ମଧ୍ୟ ଦେଉଥିଲେ। ଏକଥା ସିବିଆଇ ଜାଣିବା ପରେ ଚଳିତ ବର୍ଷ ଫେବୃଆରୀରେ ମାମଲା ରୁଜୁ କରିଥିଲା। ଏହାପୂର୍ବରୁ ସେବି ଚିତ୍ରାଙ୍କ କାରସାଦି ବାବଦରେ ଜାଣି ତାଙ୍କୁ ଓ ଏନଏସ୍ଇର କିଛି ପୂର୍ବତନ ବରିଷ୍ଠ କର୍ମଚାରୀଙ୍କୁ ମୋଟା ଅଙ୍କର ଜୋରିମାନା ଲାଗୁ କରିଥିଲା। ସିବିଆଇ ତଦନ୍ତ ଆରମ୍ଭ କରିବା ପରେ ଚିତ୍ରାଙ୍କୁ ୪ ଦିନ କାଳ ଜେରା କରିଥିଲା। ଏହାପରେ ତାଙ୍କୁ ଗିରଫ କରିଥିଲା। ଚିତ୍ରା ଜାମିନ ପାଇଁ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିଥିଲେ। ଆଜି ଶୁଣାଣି ବେଳେ ସିବିଆଇ ଏହାକୁ ବିରୋଧ କରିଥିଲା ଓ ୧୪ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା। କୋର୍ଟ ଚିତ୍ରାଙ୍କ ଆବେଦନ ଖାରଜ କରିବା ସହ ତାଙ୍କୁ ୧୪ ଦିନ ପାଇଁ ରିମାଣ୍ତରେ ପଠାଇଛନ୍ତି।






More Stories
ବଢ଼ିଲା ଧାନର MSP…..
ବିମାନ ଉଡ଼ାଣରେ ଲାଗିଲା କଟକଣା…..
ପୁଣି ମହଙ୍ଗାମାଡ:ବଢିଲା ଅମୂଲ କ୍ଷୀର ଦାମ୍……