ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟାଟା ସନ୍ସର ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନ ହେଲେ ଏୟାର ଇଣ୍ଡିଆ ଚେୟାରମ୍ୟାନ | ଏନେଇ ଆଜି ଆନୁଷ୍ଠାନିକ ଭାବେ ଟାଟା ଗ୍ରୁପ ଘୋଷଣା କରିଛି | ସୋମବାର ଅନୁଷ୍ଠିତ ବୋର୍ଡ ବୈଠକରେ ଚନ୍ଦ୍ରଶେଖରନଙ୍କ ନିଯୁକ୍ତି ଉପରେ ମୋହର ବାଜିଛି। ଏହା ବାଦ୍ ଜେନେରାଲ ଇନସ୍ୟୁରାନ୍ସ କର୍ପୋରେସନର ପୂର୍ବତନ ସିଏମଡି ଏଲିସ ଗିବର୍ଗିସ ବୈଦନ୍ୟଙ୍କୁ ବୋର୍ଡରେ ଜଣେ ସ୍ଵତନ୍ତ୍ର ନିର୍ଦ୍ଦେଶକ ଭାବେ ସାମିଲ୍ କରାଯିବ। ସୂଚନାଯୋଗ୍ୟ, ୬୯ ବର୍ଷ ପରେ ଟାଟା ସନ୍ସ ହାତକୁ ଆସିଛି ଏୟାର ଇଣ୍ଡିଆ। ଏହାର ଅଧ୍ୟକ୍ଷ ପଦ ପାଇଁ ପ୍ରଥମେ ତୁର୍କୀ ଏୟାରଲାଇନ୍ସର ପୂର୍ବତନ ଚେୟାରମ୍ୟାନ ଇଲକର ଅୟାସିଙ୍କ ନାମ ଘୋଷଣା କରାଯାଇଥିଲା। ମାତ୍ର କିଛି ଦିନ ପରେ ଅୟାସି ଏୟାର ଇଣ୍ଡିଆ ଅଧ୍ୟକ୍ଷ ପଦକୁ ଅଗ୍ରାହ୍ୟ କରିଥିଲେ। ଏବେ ଏନ ଚନ୍ଦ୍ରଶେଖରନଙ୍କୁ ଦାୟିତ୍ଵ ଦିଆଯାଇଛି। ଏନ ଚନ୍ଦ୍ରଶେଖରନଙ୍କ ଜନ୍ମ ୧୯୬୩ରେ ତାମିଲନାଡୁର ମୋହନୁରରେ ହୋଇଥିଲା। ସେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜିରୁ ଏମସିଏ ପଢିଥିଲେ। ଚନ୍ଦ୍ରଶେଖରନ ୧୯୮୭ରେ ଟାଟା ଗ୍ରୁପରେ ଯୋଗ ଦେଇଥିଲେ। ତାଙ୍କ ନେତୃତ୍ଵରେ ଟିସିଏସ ଟାଟା ଗ୍ରୁପର ସବୁଠୁ ବଡ କମ୍ପାନୀ ହେବା ସହ ସର୍ବାଧିକ ସଫଳତା ହାସଲ କରିଛି। ତାଙ୍କୁ ୨୦୧୬ରେ ଟାଟା ସନ୍ସର ବୋର୍ଡରେ ସାମିଲ୍ କରାଯାଇଥିଲା। ୨୦୧୭ ଜାନୁଆରୀରେ ତାଙ୍କୁ ଟାଟା ଗ୍ରୁପର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଥିଲା। ଫେବୃଆରୀରେ ସେ ଏହି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଗ୍ରହଣ କରିଥିଲେ। ସେ ଟାଟା ଷ୍ଟିଲ୍, ଟାଟା ମୋଟର୍ସ, ଟାଟା ପାଓ୍ଵାର ଏବଂ ଟିସିଏସ ପରି କମ୍ପାନୀର ବୋର୍ଡରେ ମଧ୍ୟ ଚେୟାରମ୍ୟାନ ରହିଛନ୍ତି |






More Stories
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..
ନୀତିନ ନବୀନଙ୍କ ଇସ୍ତଫା…..
ଆଜି ଇସ୍ତଫା ଦେବେ ନୀତୀଶ…..