ରିପୋର୍ଟ କାର୍ଡ / ଭଦ୍ରକ
ପଞ୍ଚାୟତ ନିର୍ବାଚନ ସାରିଥିବା ପରେ ମଧ୍ୟ ରାଜ୍ୟରେ ଅନେକ ଜାଗାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳୁଛି | କେଉଁଠି ଗୁଷ୍ଠୀ କନ୍ଦଳତ ଆଉ କେଉଁଠି ହିଂସାତ୍ମକ ହୋଇ ହଣାକଟା | ପଞ୍ଚାୟତ ନିର୍ବାଚନରେ ହାରିବା ଥଟ୍ଟା ସହି ନପାରି ପତ୍ନୀଙ୍କୁ ଗାଳିଦେଇ ରଶି ଲଗାଇ ଝୁଲି ପଡ଼ିଲେ ପତି । ଆଉ ଘର ଭିତରେ ପତିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ବିଷ ପିଇଦେଲେ ପତ୍ନୀ। ଏପରି ହୃଦୟ ବିଦାରକ ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି। ପୂରା ଘଟଣାଟି ଏମିତି। ଚଳିତ ପଞ୍ଚାୟତ ନିର୍ବାଚନରେ ବାସୁଦେବପୁର ବ୍ଲକ୍ ପଦ୍ମପୁର ପଞ୍ଚାୟତର ସମିତି ସଭ୍ୟ ଭାବେ ରମାକାନ୍ତ ପରିଡ଼ାଙ୍କ ସ୍ତ୍ରୀ ସୁମତୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। କିନ୍ତୁ ସେ ନିର୍ବାଚନରେ ହାରି ଯାଇଥିଲେ। ଯାହାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ବ୍ୟଥିତ ଥିଲେ। ରବିବାର ବିଜୟୀ ସରପଞ୍ଚ ଓ ସମିତି ସଭ୍ୟ ବିଜୟ ଶୋଭାଯାତ୍ରା କରୁଥିଲେ। ଆଉ ସେହି ସମୟରେ କେତେକ କର୍ମୀ ରମାକାନ୍ତଙ୍କୁ ପରିହାସ କରିଥିଲେ। ଯାହାକୁ ନେଇ ପାଟିତୁଣ୍ଡ ଓ ଗାଳିଗୁଲଜ ମଧ୍ୟ ହୋଇଥିଲା। ଏହି ଘଟଣା ପରେ ରମାକାନ୍ତ ଘରକୁ ଫେରି ସ୍ତ୍ରୀ ସୁମତୀ ସହ ପାଟିତୁଣ୍ଡ କରିଥିଲେ। ନିର୍ବାଚନରେ ହାରି ଯାଇଥିବାରୁ ଲୋକମାନେ ମୋତେ ପରିହାସ କରୁଛନ୍ତି ବୋଲି ରମାକାନ୍ତ କହିଥିଲେ। ଏହା ପରେ ରମାକାନ୍ତ ଶୋଇବା ଘରେ ପଙ୍ଖାରେ ଦଉଡି ଦେଇ ଝୁଲି ପଡ଼ିଥିଲେ। ସ୍ୱାମୀ ଝୁଲୁଥିବା ଦେଖି ସୁମତୀ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ। ଏହା ଦେଖି ପରିବାର ଲୋକ ଓ ସାହିଭାଇ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରମାକାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସୁମତୀ ଗୁରୁତର ହୋଇଥିଲେ। ତାଙ୍କୁ କଟକ ବଡ଼ ମେଡ଼ିକାଲ୍କୁ ସ୍ଥାନାନ୍ତର କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ଏହି ଘଟଣାକୁ ନେଇ ରମାକାନ୍ତଙ୍କ ବାପା ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି |
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..
୫ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..