ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ପ୍ରଧାନମନ୍ତ୍ରୀ ଖୁବ୍ ଜଟିଳ ପରିସ୍ଥିତିରେ ପଡ଼ିଯାଇଛନ୍ତି । ଅନାସ୍ଥା ଭୋଟ୍ ଆଗରୁ ପ୍ରମୁଖ ସହଯୋଗୀ ରାଜନୈତିକ ଦଳ ‘ମୁତ୍ତାହିଦା କ୍ବାଉମି ମୁଭ୍ମେଣ୍ଟ୍-ପାକିସ୍ତାନ୍’ ବିରୋଧୀ ଦଳଙ୍କୁ ସମର୍ଥନ କରିବାରୁ ସଂସଦରେ ଇମ୍ରାନ୍ ଖାଁ ସଂଖ୍ୟାଗରିଷ୍ଠତା ହରାଇଛନ୍ତି। ସମ୍ପ୍ରତି ୧୭୫ ସଦସ୍ୟ ହାସଲ କରି ପାକିସ୍ତାନର ବିରୋଧୀ ଦଳ ସଦସ୍ୟ ସମର୍ଥନ ସଂଖ୍ୟାରେ ଆଗୁଆ ଥିବା କଥା ‘ଦି ନିଉଜ୍’ ରିପୋର୍ଟ କରିଛି। ବିରୋଧୀ ଦଳରେ ଯୋଗ ଦେବ ବୋଲି ମଙ୍ଗଳବାର ରାତିରେ ‘ଏମ୍କ୍ୟୁଏମ୍-ପି’ ରାଜିନାମାରେ ଉପନୀତ ହୋଇଥିଲା। ସେମାନେ ବିରୋଧୀଙ୍କ ସହ ଯୋଗ ଦେଇଥିବା କଥା ‘ଏମ୍କ୍ୟୁଏମ୍-ପି’ ସିନେଟର୍ ଫୈସାଲ୍ ସବ୍ଜ୍ୱାରି ସୁନିଶ୍ଚିତ କରି କହିଛନ୍ତି। ଏହି ଘଟଣା ପରେ ପରେ, ଜାତୀୟ ବିଧାନସଭାରେ ବିରୋଧୀ ନେତା ତଥା ‘ପାକିସ୍ତାନ ମୁସ୍ଲିମ୍ ଲିଗ୍ (ନୱାଜ୍)’ର ଅଧ୍ୟକ୍ଷ ଶେହବାଜ୍ ଶରିଫ୍, ପୂର୍ବତନ ରାଷ୍ଟ୍ରପତି ତଥା ‘ପାକିସ୍ତାନ ପିପୁଲ୍ସ୍ ପାଟିର ଅଧ୍ୟକ୍ଷ ବିଲ୍ୱାଲ୍ ଭୁଟ୍ଟୋ ଜର୍ଦାରି, ‘ପାକିସ୍ତାନ ଡେମୋକ୍ରାଟିକ୍ ମୋଭ୍ମେଣ୍ଟ୍’ ତଥା ‘ଜେୟୁଆଇଏଫ୍’ର ମୁଖ୍ୟ ମୌଲାନା ଫଜ୍ଲୁର୍ ରେହମନ୍ ପାର୍ଲାମେଣ୍ଟ୍ ଲଜ୍ରେ ଥିବା ଖଲିଦ୍ ମକ୍ବୁଲ୍ ସିଦ୍ଦିକ୍ବିଙ୍କ ବାସଭବନରେ ପହଞ୍ଚିଥିଲେ। ‘ପିପିପି’ର ସୂଚନା ସଚିବ ଫୈସାଲ୍ କରିମ୍ କୁନ୍ଦି କହିଛନ୍ତି, ମଙ୍ଗଳବାର ଦିନ ହେବ ବୋଲି ନିର୍ଦ୍ଧାରିତ ହୋଇଥିବା ସାମ୍ବାଦିକ ସମ୍ମିଳନୀକୁ ବୁଧବାର ଅପରାହ୍ଣ ୪ଟାକୁ ଘୁଞ୍ଚାଇ ଦିଆଯାଇଛି। ‘ଏମ୍କ୍ୟୁଏମ୍-ପି’ର ‘ରବିତା କମିଟି’ର ଅନୁମୋଦନ ପରେ ଚୂଡ଼ାନ୍ତ ଘୋଷଣା କରାଯିବ। କ୍ଷମତାରେ ରହିବା ଲାଗି ଇମ୍ରାନ୍ ଖାଁ ଅନ୍ୟୂନ ୧୭୨ ଖଣ୍ଡ ଭୋଟ୍ ଆବଶ୍ୟକ କରୁଥିବା ବେଳେ ଅନାସ୍ଥା ଭୋଟ୍ ପୂର୍ବରୁ ‘ଏମ୍କ୍ୟୁଏମ୍-ପି’ର ଏତାଦୃଶ ପଦକ୍ଷେପ ତାଙ୍କ ପାଇଁ ବିଡ଼ମ୍ବନାର କାରଣ ହେବାକୁ ଯାଉଛି।






More Stories
୨୦ରୁ ସଂସଦର ମୌସୁମୀ ଅଧିବେଶନ…..
ରାମ ମନ୍ଦିରରୁ ଚୋରି ଘଟଣା ଦୁଃଖଦାୟକ…..
ଯେକୌଣସି ମୁହୁର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ…..