Report Card Odisha

| Daily Odia News

ବାପାଙ୍କ ମୃତ୍ୟୁ ପରେ ଝିଅକୁ ମିଳିବନି ଅନୁକମ୍ପା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ଝିଅକୁ ଅନୁକମ୍ପା ଆଧାରରେ ନିଯୁକ୍ତି ମିଳିବ ନାହିଁ | ଆଜି ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟଙ୍କ କହିବା ଅନୁସାରେ, ବାପାଙ୍କ ମୃତ୍ୟୁ ପରେ ଝିଅକୁ ଅନୁକମ୍ପା ଆଧାରରେ ଚାକିରି ମିଳିବା ପକ୍ଷରେ ଆମେ ଅଛୁ, କିନ୍ତୁ ସେଥିପାଇଁ ତାଙ୍କ ମା’ ଙ୍କର ସହମତି ଦରକାର। ମାମଲାଟି ମଧ୍ୟ ପ୍ରଦେଶ ପୋଲିସରେ ଚାକିରି କରିଥିବା ଜଣେ ସରକାରୀ କର୍ମଚାରୀଙ୍କର ରହିଛି। ବାପାଙ୍କ ମୃତ୍ୟୁ ପରେ ଝିଅ ଚାକିରୀ କରିବାକୁ ଚାହୁଁଥିଲେ ମଧ୍ୟ ମୃତକଙ୍କ ପତ୍ନୀ ଏଥିରେ ସନ୍ତୁଷ୍ଟ ନୁହନ୍ତି। ତେଣୁ ମଧ୍ୟ ପ୍ରଦେଶ ସରକାର ନିମୟ ଅନୁସାରେ, ଝିଅକୁ ଚାକିରୀ ଦେଇପାରିବେନି। କାରଣ ମୃତକଙ୍କ ପତ୍ନୀ ତାଙ୍କ ପୁଅକୁ ସରକାରୀ ଚାକିରୀ ଦେବାକୁ ପ୍ରଥମେ ଆବେଦନ କରିଥିଲେ। ତେବେ ୨୦୧୫ ରେ ପୁଅ ଅନଫିଟ୍ ହେବାରୁ ତାଙ୍କ ଝିଅ ଚାକିରୀ କରିବାକୁ ଆବେଦନ କରିଥିଲେ। ତେବେ ଝିଅର ଚାକିରୀ ଆବେଦନକୁ ନେଇ ମା’ ବିରୋଧ କରିଛନ୍ତି। କାରଣ ବାପାଙ୍କ ମୃତ୍ୟୁ ପରେ ବିବାହ ଝିଅ ସମ୍ପତ୍ତି ଭାଗବଣ୍ଟା ପାଇଁ କେସ୍ କରିଥିଲେ, ଯାହାକି ଏବେ ବିଚାରଧୀନ ରହିଛି। ଏହି କାରଣରୁ ଝିଅକୁ ଚାକିରୀ ଦେବାକୁ ମନା କରିଦେଇଛନ୍ତି। ଉଲ୍ଲେଖନୀୟ ଯେ, ମୃତକଙ୍କ ଝିଅ ବିବାହ କରିସାରିଛନ୍ତି। ଏହି ଆଧାରରେ ପୋଲିସ ବିଭାଗ ପକ୍ଷରୁ ତାଙ୍କ ଝିଅଙ୍କର ଆବେଦନକୁ ଖାରଜ କରିଦିଆଯାଇଥିଲା। ଏହାପରେ ମାମଲା ମଧ୍ୟ ପ୍ରଦେଶ ହାଇକୋର୍ଟରେ ପହଁଞ୍ଚିଥିଲା। ହାଇକୋର୍ଟ ମଧ୍ୟ ପ୍ରଦେଶ ପୋଲିସ(ନନ୍‌-ଗେଜେଟେଡ୍) ସର୍ଭିସ ରୁଲ ୧୯୯୭ର ଧାରା ୨.୨ ଅନୁସାରେ ଝିଅକୁ ଚାକିରୀ ଦେବାକୁ ନିର୍ଦେଶ ଦେବାକୁ ମନା କରିଦେଇଥିଲେ। ଏହି ନିୟମରେ କୁହାଯାଇଥିଲା ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ଆଶ୍ରିତ ସ୍ବାମୀ କିମ୍ବା ସ୍ତ୍ରୀ ଯଦି ଅନୁକମ୍ପା ଆଧାରରେ ଚାକିରୀ ପାଇଁ ଯୋଗ୍ୟ ନୁହନ୍ତି ତେବେ ନିଜର ପୁଅ-ଝିଅଙ୍କୁ ନିଯୁକ୍ତି ଦେବାକୁ ଆବେଦନ କରିପାରିବେ। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଝିଅ ସୁପ୍ରିମକୋର୍ଟରେ ପହଁଞ୍ଚିଥିଲେ। ଶେଷରେ ସୁପ୍ରିମକୋର୍ଟ ମଧ୍ୟ ସମାନ ରାୟ ଦେଇଛନ୍ତି। ଝିଅ ବିବାହିତ ହୋଇ ବାପାଙ୍କ ଚାକିରୀ କରିପାରିବେ, କିନ୍ତୁ ସେଥିପାଇଁ ମା’ଙ୍କର ଅନୁମତି ରହିବା ଦରକାର। ତେଣୁ ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିଦେଇଛନ୍ତି।

 

Breaking News