Report Card Odisha

| Daily Odia News

ଆସାମ ଗସ୍ତରେ ଯିବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ତିନି ଦିନିଆ ଆସାମ ଗସ୍ତରେ ଯିବେ ଓଡିଶା ବିଧାନସଭାର ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର | ଆସନ୍ତା ୧୧ ରୁ ୧୩ ତାରିଖ ମଧ୍ୟରେ ଆସାମର ରାଜଧାନୀ ଗୌହାଟୀରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀରେ ଯୋଗଦେବାପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥି, ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର, ଉପନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପୂର୍ଣଚନ୍ଦ୍ର ଦଳେଇ ପ୍ରମୁଖ ଆସାମ ଗସ୍ତ କରିବେ I ଏହି ସମ୍ମିଳନୀରେ ଭାରତର ସମସ୍ତ ରାଜ୍ୟର ବାଚସ୍ପତି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ଇ ସଂସଦୀୟ କାର୍ଯ୍ୟବିଧି, ସଂସଦୀୟ କାର୍ଯ୍ୟପ୍ରଣାଳୀର ଉନ୍ନତିକରଣ ଏବଂ ବିଭାଗୀୟ ମୁଖ୍ୟଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ଆଦି ବିଷୟରେ ସମ୍ମିଳନୀରେ ଆଲୋଚନା କରାଯିବ ବୋଲି ବାଚସ୍ପତି ଡ଼ଃ ପାତ୍ର ପ୍ରକାଶ କରିଛନ୍ତି I ଚଳିତ ମାସ ୧୩ ତାରିଖରେ ଓଡିଶାର ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଥିବାରୁ ସେ ୧୩ ତାରିଖରେ ଓଡିଶା ଫେରିଆସିବେ ବୋଲି ପ୍ରକାଶ କରିଛନ୍ତି I ଲୋକସଭାର ବାଚସ୍ପତି ଶ୍ରୀ ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ I “ଜାତୀୟ ବିକାଶ ଏବଂ ସାଧାରଣ ମଙ୍ଗଳ ପାଇଁ ଯୁବ ଶକ୍ତିର ବ୍ୟବହାର” ବିଷୟବସ୍ତୁ ଉପରେ ବାଚସ୍ପତି ଡ଼ଃ ପାତ୍ର ତାଙ୍କର ବକ୍ତବ୍ୟ ରଖିବେ ବୋଲି ବିଧାନସଭା ପକ୍ଷରୁ ସୂଚନା ଦିଆଯାଇଛି I

Breaking News