ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାନାଡାର ଟରଣ୍ଟୋ ନଗରୀସ୍ଥିତ ଏକ ଭୂତଳ ରେଳ ଷ୍ଟେସନ୍ ପ୍ରବେଶ ପଥ ନିକଟରେ ଘଟିଥିବା ଗୁଳିକାଣ୍ଡରେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି | ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏକାଧିକ ଗୁଳିଚୋଟ ଖାଇ ଜଣେ ୨୧ ବର୍ଷିୟ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ଜଣ ପଡିଛି | ଘଟଣାଟି ଗୁରୁବାର ସନ୍ଧ୍ୟାବେଳେ ସେଣ୍ଟ୍ ଜେମ୍ସ୍ ଟାଉନ୍ରେ ଥିବା ସେର୍ବର୍ଣ୍ଣ ଟିଟିସି ଷ୍ଟେସନ୍ର ଗ୍ଲେନ୍ ରୋଡ୍ ପ୍ରବେଶପଥରେ ଗୁଳିକାଣ୍ଡରେ ନିହତ ଭାରତୀୟ ଛାତ୍ର କାର୍ତ୍ତିକ ବାସୁଦେବ କର୍ମକ୍ଷେତ୍ରକୁ ଯାଉଥିଲେ। ଡିୟୁଟିରେ ନ ଥିବା ପାରାମେଡିକ୍ଙ୍କଦ୍ବାରା ଚିକିତ୍ସିତ ହେବା ପରେ ବାସୁଦେବଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ବିବୃତିରେ ଟରଣ୍ଟୋ ପୋଲିସ୍ ସର୍ଭିସ୍ କହିଛି । ଟରଣ୍ଟୋ ପୋଲିସ୍ ସର୍ଭିସ୍ର ‘ହୋମିସାଇଡ୍ ସ୍କ୍ବାଡ୍’ ଏହି ଘଟଣାର ତଦନ୍ତ କରୁଛି। ସନ୍ଦିଗ୍ଧ ଅପରାଧୀଜଣକ କୃଷ୍ଣକାୟ ଏବଂ ତାଙ୍କର ଉଚ୍ଚତା ପ୍ରାୟ ୫ ଫୁଟ୍ ୬/୭ ଇଞ୍ଚ ହୋଇପାରେ ବୋଲି ପୁଲିସ କହିଛି। ଗତକାଲି ଟରଣ୍ଟୋରେ ଘଟିଥିବା ଗୁଳିକାଣ୍ଡରେ ଭାରତୀୟ ଛାତ୍ର କାର୍ତ୍ତିକ ବାସୁଦେବଙ୍କ ଦୁଃଖଦ ମୃତ୍ୟୁ ଯୋଗୁଁ ଆମେ ମର୍ମାହତ ଓ ଶୋକଜର୍ଜରିତ ବୋଲି ଶୁକ୍ରବାର ଦିନ ଟୁଇଟର୍ରେ ପୋଷ୍ଟ୍ କରିଥିବା ବିବୃତିରେ ଭାରତୀୟ କନ୍ସୁଲେଟ୍ ଜେନେରାଲ୍ ଲେଖିଛନ୍ତି। ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଆମେ ନିହତ ଛାତ୍ରଙ୍କ ପରିବାରବର୍ଗଙ୍କ ସହିତ ଯୋଗଯୋଗ ରଖିଛୁ ଏବଂ ଯଥା ଶୀଘ୍ର ଶବ ଅର୍ପଣ କରିବା ପାଇଁ ସମସ୍ତ ସମ୍ଭାବ୍ୟ ସହଯୋଗ କରିବୁ। କାର୍ତ୍ତିକ ବାସୁଦେବଙ୍କ ମୃତ୍ୟୁ ଲାଗି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି, ଏଭଳି ବିୟୋଗାନ୍ତ ଘଟଣାରେ ଅତ୍ୟନ୍ତ ମର୍ମାହତ। ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା । ସିନେକା କଲେଜ୍ରେ ‘ମାର୍କେଟିଙ୍ଗ୍ ମ୍ୟାନେଜ୍ମେଣ୍ଟ୍ ପ୍ରୋଗ୍ରାମ୍’ ଅଧ୍ୟୟନ କରୁଥିବା ବାସୁଦେବ ଗତ ଜାନୁଆରି ମାସରେ କାନଡାରେ ପହଞ୍ଚିଥିଲେ। ଭୂତଳ ରେଳ ଯୋଗେ କର୍ମକ୍ଷେତ୍ରକୁ ବାହାରି ଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……