Report Card Odisha

| Daily Odia News

ପ୍ରଧାନମନ୍ତ୍ରୀ ପଦରୁ ବିଦାହେଲେ ଇମ୍ରାନ ଖାନ୍‌,ଏବେ କିଏ ହେବ ନୂଆ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ଖାନ୍‌ ବିଦା ହୋଇଛନ୍ତି | ଗତରାତିରେ ୬୯ ବର୍ଷୀୟ ଇମ୍ରାନ ଖାନ୍‌ ଅନାସ୍ଥା ପ୍ରସ୍ତାବରେ ହାରି ପ୍ରଧାନମନ୍ତ୍ରୀ ପଦ ହରାଇଛନ୍ତି | ଇମ୍ରାନଙ୍କର ପ୍ରାୟ ସାଢ଼େ ୩ ବର୍ଷ ଶାସନର ଅନ୍ତ ଘଟିଛି। ପାକିସ୍ତାନର ୭୫ ବର୍ଷ ଇତିହାସରେ ଇମ୍ରାନ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯେ କି ଅନାସ୍ଥା ଭୋଟରେ ହାରି ଗାଦିଚ୍ୟୁତ ହୋଇଛନ୍ତି। ନିର୍ବାଚନ ସମୟରେ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ଏବଂ ଅର୍ଥନୀତି ପରିଚାଳନାରେ ବିଫଳ ଅଭିଯୋଗ ତାଙ୍କ ବିରୋଧରେ ସହଯୋଗୀ ଦଳଗୁଡ଼ିକ ପ୍ରଥମେ ଆଣିଥିଲେ। ୩୪୨ ସଦସ୍ୟ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ୧୭୪ ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ। ତେବେ ଇମ୍ରାନଙ୍କ ପାକିସ୍ତାନ ତେହେରିକ୍-ଇ-ଇନସାଫ (ପିଟିଆଇ) ଦଳ ଭୋଟିଂ ବେଳେ ସଂସଦରେ ଅନୁପସ୍ଥିତ ଥିଲେ। ୨୨ କୋଟି ଜନସଂଖ୍ୟା ବିଶିଷ୍ଟ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ପାକିସ୍ତାନରେ ଆଜି ପର୍ଯ୍ୟନ୍ତ କୌଣସି ପ୍ରଧାନମନ୍ତ୍ରୀ ପୂର୍ଣ୍ଣ କାର୍ଯ୍ୟକାଳ କ୍ଷମତାରେ ରହିପାରି ନାହାନ୍ତି। ସେହିଭଳି ୭୫ ବର୍ଷରୁ ପାଖାପାଖି ଅଧା ସମୟ ଏଠାରେ ସେନା କ୍ଷମତାରେ ରହିଛି। ଇମ୍ରାନଙ୍କ ଅନାସ୍ଥା ପ୍ରସ୍ତାବର ଘଟଣାକ୍ରମ ଏହିଭଳି ରହିଥିଲା। ନଭେମ୍ବର-ଡିସେମ୍ବରରେ ପିପିପି ନେତା ଖୁର୍ସିଦ ଶାହ ପ୍ରଥମ ଥର ଲାଗି କହିଥିଲେ ଯେ ଇମ୍ରାନ ଖାନ୍‌ଙ୍କୁ ବିଦା କରିବା ଲାଗି ବିରୋଧୀଙ୍କ ନିକଟରେ ପର୍ଯ୍ୟାପ୍ତ ସଂଖ୍ୟା ରହିଛି। ସରକାର ପରିବର୍ତ୍ତନ ପାଇଁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି ବୋଲି ଏହାର ମାସକ ପରେ ପିଏମଏଲ-ଏନର ଆୟାଜ ସାଦିକ୍‌ ଆଭାସ ଦେଇଥିଲେ। ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ଖାନ୍ ବିଦା ହେବା ପରେ ଏବେ ପାକିସ୍ତାନ ପାଇବ ଜଣେ ନୂଆ ପ୍ରଧାନମନ୍ତ୍ରୀ । ତେବେ କିଏ ହେବ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ତାହାକୁ ନେଇ ଏବେ ରାଜନୈତିକ ମହଲରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି । ନୂଆ ପ୍ରଧାନମନ୍ତ୍ରୀ ଚୟନ ନେଇ ଆସନ୍ତାକାଲି ପାକିସ୍ତାନ ସଂସଦରେ ଭୋଟିଂ କରାଯିବ ।

Breaking News