ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଯୁଦ୍ଧ ପ୍ରବଣ ୟୁକ୍ରେନ୍ ଗସ୍ତ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରସ୍ତୁତ ଅଛନ୍ତି। ୟୁକ୍ରେନ୍କୁ ଆମେରିକାର କିଛି ବରିଷ୍ଠ ଅଧିକାରୀଙ୍କ ଗସ୍ତ ସଂକ୍ରାନ୍ତରେ ଏକ ପ୍ରଶ୍ନ କରାଯିବାବେଳେ ବାଇଡେନ୍ ୟୁକ୍ରେନ୍ ଯିବାପାଇଁ ପ୍ରସ୍ତୁତ ଅଛନ୍ତି କି ବୋଲି ତାଙ୍କୁ ପଚରାଯାଇଥିଲା। ଏହାର ଉତ୍ତରରେ ବାଇଡେନ୍ କହିଥିଲେ, ସେ ୟୁକ୍ରେନ୍ ଯିବାପାଇଁ ପ୍ରସ୍ତୁତ ଅଛନ୍ତି। ଅନ୍ୟପକ୍ଷେ ୟୁକ୍ରେନ୍କୁ ଆମେରିକାର ବରିଷ୍ଠ ଅଧିକାରୀଙ୍କ ଗସ୍ତ ସଂକ୍ରାନ୍ତରେ ବିଚାରବିମର୍ଶ ଜାରି ରହିଛି ବୋଲି ବାଇଡେନ୍ କହିଛନ୍ତି। ରଏଟର୍ସ୍ର ଏକ ରିପୋର୍ଟ ଅନୁଯାୟୀ ଆମେରିକାର ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ୍ ଏବଂ ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ୟୁକ୍ରେନ୍ ଗସ୍ତ କରିପାରନ୍ତି। ତେବେ ବାଇଡେନ୍ ଏବେ ୟୁକ୍ରେନ୍ ଗସ୍ତରେ ଯିବେନାହିଁ ବୋଲି ହ୍ବାଇଟ୍ ହାଉସ୍ ପ୍ରେସ୍ ସଚିବ ସ୍ପଷ୍ଟ କରିଛନ୍ତି। ଯୁଦ୍ଧ ଦିନକୁ ଦିନ ବଢ଼ୁଥିବାବେଳେ ଆମେରିକା ଏବଂ ଅନ୍ୟ ପଶ୍ଚିମ ରାଷ୍ଟ୍ରମାନେ ୟୁକ୍ରେନ୍କୁ ବିପୁଳ ପରିମାଣର ଅସ୍ତ୍ର ପଠାଉଛନ୍ତି। ଆମେରିକା ଅତିରିକ୍ତ ୮୦୦ ନିୟୁତ ଡଲାର ଅସ୍ତ୍ର ଏବଂ ଅନ୍ୟ ସୁରକ୍ଷା ସହାୟତା ୟୁକ୍ରେନ୍କୁ ପଠାଇବ। ଫେବ୍ରୁଆରି ୨୪ରେ ରୁଷ୍ ଯୁଦ୍ଧ ଆରମ୍ଭ କରିବା ପରଠାରୁ ଆମେରିକା ୟୁକ୍ରେନ୍ ସେନାକୁ ୨.୪ ବିଲିଅନ୍ ଡଲାର୍ର ସହାୟତା ଦେଇଛି। କାନାଡ଼ା, ବ୍ରିଟେନ୍, ଜର୍ମାନୀ, ଇଟାଲି ଏବଂ ତୁର୍କୀ ସମେତ ମୋଟ୍ ୩୦ ଟି ରାଷ୍ଟ୍ର ୟୁକ୍ରେନ୍କୁ ଅସ୍ତ୍ର ପଠାଇଛନ୍ତି। ୟୁକ୍ରେନ୍ର କିଛି ପଡ଼ୋଶୀ ତଥା ପୋଲାଣ୍ଡ ଏବଂ ଚେକ୍ ରିପବ୍ଲିକ୍ ମଧ୍ୟ ସେମାନଙ୍କ ନିଜସ୍ବ ଅସ୍ତ୍ର ରୁଷ୍ ବିରୋଧରେ ପଠାଉଛନ୍ତି। ତେବେ ରୁଷ୍ ଆଜି ଏନେଇ ଆାମେରିକାକୁ କଡ଼ା ଚେତାବନୀ ଦେଇଛି। ଅସ୍ତ୍ର ଯୋଗାଣ ପାଇଁ ଭୟଙ୍କର ପରିଣାମ ଭୋଗିବ ବୋଲି ରୁଷ୍ କହିଛି।
More Stories
ଆଜି ଶପଥ ନେବେ କାନାଡ଼ା ପ୍ରଧାନମନ୍ତ୍ରୀ…..
ଅନ୍ୟକୁ ଦୋଷ ଦେଇ ନିଜ ବିଫଳତା ଲୁଚାଉଛି ପାକିସ୍ତାନ…..
ସିସୋଦିଆ ଏବଂ ସତ୍ୟୈନ୍ଦ୍ରଙ୍କ ପାଇଁ ବଢିଲା ଅଡୁଆ…..