Report Card Odisha

| Daily Odia News

ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଙ୍କ ଦେହାନ୍ତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ ହୋଇଛି । ୮୫ ବର୍ଷ ବୟସରେ କଟକ ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ଶାରଳା ପୁରସ୍କାର ମଧ୍ୟ ପୁରସ୍କୃତ ହୋଇଥିଲେ। ଅର୍ଥନୀତି ବିଭାଗ ପ୍ରାଧ୍ୟାପିକା ଭାବେ ଅବସର ନେଇଥିବା ବୀଣାପାଣି ମହାନ୍ତି ସାହିତ୍ୟସାଧନାରେ ବ୍ରତି ଥିଲେ। ସେ ପାଟଦେଇ, ତୃତୀୟ ପାଦ, ଅର୍ଘ୍ୟ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ, ବସ୍ତ୍ର ହରଣ, ଏକାକୀ ପରାଶର, ନବତରଙ୍ଗ, ମଧ୍ୟାନ୍ତର, ବହ୍ନିବଳୟ, ଉତ୍ତରାୟଣ ଭଳି ୩୪ଟି ଗଳ୍ପ ସଂକଳନ ଲେଖିଛନ୍ତି। ଏହାଛଡ଼ା ସୀତାର ଶୋଣିତ, ମନସ୍ୱିନୀ ଓ କୁନ୍ତି କୁନ୍ତଳା ଶକୁନ୍ତଳା ଭଳି ଉପନ୍ୟାସ ସେ ରଚନା କରିଛନ୍ତି ।ବୀଣାପାଣି ମହାନ୍ତିଙ୍କ ଜନ୍ମ ବ୍ରହ୍ମପୁରରେ ୧୯୩୬ ମସିହାରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡ଼ା ପାଖରେ ଥିବା ଚାନ୍ଦୋଳଠାରେ ଥିଲା । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇ ଥିଲା । ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ରେ ଏଥିରୁ ଅବସର ଗ୍ରହଣ କରିଥିଲେ । ଆଜି ରାଷ୍ଟ୍ରୀୟ ସମ୍ମାନର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Breaking News