ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଅଲଟ୍ରା ଭାୟୋଲେଟ୍ ଇଣ୍ଡେକ୍ସ ବା ୟୁଭି ମାତ୍ରା ବିପଜ୍ଜନକ ସ୍ଥିତିରେ ପହଞ୍ଚିଲାଣି । ପ୍ରଚଣ୍ଡ ଖରା ଓ ତାତି ସାଙ୍ଗକୁ ଏଭଳି ଭୟଙ୍କର ୟୁଭି ସ୍ତରକୁ ନେଇ ଆଶଙ୍କା ବଢିଛି । ଏହାକୁ ନେଇ ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି । ଟ୍ୟୁଟି ଇମ୍ପିଓ.ନେଟ୍ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ସୋମବାର ସକାଳ ୯ଟାରେ ୟୁଭି ମାତ୍ରା ୮ ଥିଲା । ଦିନ ୧୦ଟା ବେଳକୁ ୟୁଭି ମାତ୍ରା ବଢି ୧୧ ହୋଇଥିଲା । ୧୧ଟା ବେଳକୁ ୟୁଭି ମାତ୍ରା ୧୨ ଛୁଇଁଥିଲା । ଏହି ମାତ୍ରା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ । ୧୧ଟାରୁ ୧୨ଟା ଯାଏ ୟୁଭି ମାତ୍ରା ୧୨ରେ ଅପରିବର୍ତ୍ତିତ ରହିଥିଲା । ତେବେ ୧ଟା ବେଳକୁ ୟୁଭି ମାତ୍ରା ୧୦କୁ ଖସିଥିଲା । ହେଲେ ୧ଟାରୁ ୨ଟା ଭିତରେ ଏହା ଆହୁରି ଖସି ୬ରେ ପହଞ୍ଚିଥିଲା । ଅଲଟ୍ରା ଭାୟୋଲେଟ୍ ବା ଅତି ବାଇଗଣୀ ବିକିରଣ ରଶ୍ମିର ଏକ ନିର୍ଦ୍ଦିଷ୍ଟ ସ୍ତର ଅଛି । ୟୁଭି ସ୍ତର ୮, ୯ ବା ୧୦ ରହିଲେ ଏହା ବିପଦ ବୋଲି ଧରାଯିିବ । ୧୧ରୁ ଅଧିକ ହେଲେ ଏହା ଅତି ବିପଜ୍ଜନକ । ଅର୍ଥାତ୍ ଏହି ବିକିରଣ ରଶ୍ମିର ସଂସ୍ପର୍ଶରେ ଆସିଲେ ଶରୀରର ଅନେକ କ୍ଷତି ହୁଏ । ଚର୍ମ କର୍କଟ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ । ସମ୍ ଅଙ୍କୋଲୋଜି ବିଭାଗର ବିଶେଷଜ୍ଞ ଡ. ସଂଗ୍ରାମ କେଶରୀ ପଣ୍ଡା କହିଛନ୍ତି, ୟୁଭି ମାତ୍ରା ଅଧିକ ରହିଲେ ଏହା ମଣିଷ ଶରୀର ପାଇଁ ବିପଦ । ଏହା ପ୍ରଭାବରେ ଚର୍ମ କର୍କଟ ହୁଏ । ଆଖି ଉପରେ ମଧ୍ୟ ଗୁରୁତର ପ୍ରଭାବ ପଡେ । ଅଧିକ ୟୁଭି ମାତ୍ରା ପ୍ରଭାବରେ ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ରହିଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ପଶୁପାଳକ କହିଛନ୍ତି, ଅତ୍ୟଧିକ ତାପମାତ୍ରା ସହିତ ୟୁଭି କିରଣ ମଣିଷ ପାଇଁ ହାନିକାରକ । ଆଜି ଭୁବନେଶ୍ୱରରେ ୟୁଭି ବିକିରଣ ମାତ୍ରା ୧୨ ରହିଥିଲା । ଆସନ୍ତା ୫ଦିନ ଯାଏ ଏହା ଅପରିବର୍ତ୍ତିତ ରହିବ । ଦିନ ୧୦ଟାରୁ ୪ଟା ଯାଏ ଏହାର ମାତ୍ରା ଅଧିକ ରହିବ । ୫ ମିନିଟ୍ ଖରାରେ ସିଧାସଳଖ ସଂସ୍ପର୍ଶରେ ଆସିଲେ କର୍କଟ ରୋଗର ଆଶଙ୍କା ରହୁଛି । ଏହାବାଦ୍ ଲାଟେଣ୍ଟ ହିଟ୍ ବା ସୁପ୍ତ ଉତ୍ତାପ ଯୋଗୁ ଅଧିକ ଗରମ ଅନୁଭୂତ ହେଉଛି ।






More Stories
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..
କାର୍କୁ ଘୋଷାଡ଼ି ନେଲା ଟ୍ରକ…..