Report Card Odisha

| Daily Odia News

ସୁପ୍ରିମକୋର୍ଟରେ ଦିଲ୍ଲୀ -କେନ୍ଦ୍ର ସରକାର ମୁହାଁମୁହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ରାଜଧାନୀ ଦିଲ୍ଲୀ ଉପରେ ଅଧିକାର ଜାହିର ପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ର ଓ ଦିଲ୍ଲୀ ସରକାର ମୁହାଁମୁହିଁ ହୋଇଛନ୍ତି | ଦିଲ୍ଲୀ ଦେଶର ରାଜଧାନୀ ହୋଇଥିବାରୁ ଏଠାରେ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ଉପରେ କେନ୍ଦ୍ର ସରକାରଙ୍କ ଅଧିକାର ରହିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପାଖରେ ସ୍ୱତନ୍ତ୍ର କ୍ଷମତା ରହିଛି ବୋଲି ଆଜି ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ତେବେ ଏହା ପୂର୍ବରୁ ଦିଲ୍ଲୀ ସରକାର କେନ୍ଦ୍ରର ଏପରି ଯୁକ୍ତିକୁ ବିରୋଧ କରିଥିଲେ। ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ “ଦିଲ୍ଲୀ ଯେହେତୁ ଦେଶର ଜାତୀୟ ରାଜଧାନୀ ଏଠାରେ ସରକାରୀ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ଦାୟିତ୍ୱ କେନ୍ଦ୍ର ଉପରେ ନ୍ୟସ୍ତ ରହିଛି। ଦିଲ୍ଲୀ ହେଉଛି ଦେଶର ଚେହେରା। ଦେଶକୁ ଦିଲ୍ଲୀ ଜରିଆରେ ପୂରା ବିଶ୍ୱ ଦେଖିଥାଏ। ଦେଶର ମହାନ ରାଜଧାନୀରେ ପ୍ରଶାସନିକ ବ୍ୟବସ୍ଥା କେମିତି ରହିବ, ସେଥିପାଇଁ ସ୍ୱତନ୍ତ୍ର ଆଇନ ରହିଛି। ଏହା କୌଣସି ନିର୍ଦ୍ଦିଷ୍ଟ ରାଜନୀତିକ ଦଳକୁ ଟାର୍ଗେଟ କରି କରାଯାଉନି। ଦିଲ୍ଲୀ ଜାତୀୟ ରାଜଧାନୀ ହୋଇଥିବାରୁ ଏହାର ପ୍ରଶାସନିକ ବ୍ୟବସ୍ଥା ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେବାର ସ୍ୱତନ୍ତ୍ର କ୍ଷମତା କେନ୍ଦ୍ରର ରହିଛି। ବାଲାକ୍ରିଷ୍ଣନ କମିଟି ରିପୋର୍ଟରେ ମଧ୍ୟ ଜାତୀୟ ସ୍ୱାର୍ଥ ପାଇଁ କେନ୍ଦ୍ର ଦିଲ୍ଲୀକୁ ନିୟନ୍ତ୍ରଣ କରିବା ସକ୍ଷମରେ ମତ ରଖିଥିଲେ। ତେଣୁ ଏହି ମାମଲାର ଶୁଣାଣି ୫ ଜଣିଆ ସାମ୍ବିଧାନିକ ବେଞ୍ଚକୁ ପଠାଯାଉ।” ତେବେ ଏହାକୁ ଦିଲ୍ଲୀ ସରକାର ଜୋରଦାର ବିରୋଧ କରିଥିଲେ। ଦିଲ୍ଲୀ ସରକାରଙ୍କ ଓକିଲ ଅଭିଷେକ ମନୁ ସଂଙ୍ଘଭୀ କହିଥିଲେ ଯେ “କେନ୍ଦ୍ରର ପରାମର୍ଶ ଅନୁସାରେ ଏହି ମାମଲାର ଶୁଣାଣି ବୃହତ୍ତର ବେଞ୍ଚକୁ ପଠାଇବାର କୌଣସି ଆବଶ୍ୟକ ନାହିଁ। ଗତ ୨ରୁ ୩ଟି ଶୁଣାଣି ବେଳେ କେନ୍ଦ୍ର ସରକାର ବୃହତ୍ତର ବେଞ୍ଚକୁ ମାମଲା ପଠାଇବାକୁ ଯୁକ୍ତି କରୁଛନ୍ତି। ବାଲାକ୍ରିଷ୍ଣନ କମିଟି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରାଯାଇଥିବାରୁ ଏହାକୁ ଆଲୋଚନା ପରିସରଭୁକ୍ତ କରାଯିବା ଅନୁଚିତ।” ଉପ ରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ସରକାର ଦିଲ୍ଲୀକୁ ନିୟନ୍ତ୍ରଣକୁ ନେବା ପାଇଁ ଚାହୁଁଥିବା ଆପ୍‌ ସରକାର ଅଭିଯୋଗ କରି ଆସୁଛନ୍ତି। କେନ୍ଦ୍ର ସରକାର ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳିରେ ହସ୍ତକ୍ଷେପ କରୁଥିବାରୁ ଏହାକୁ ବିରୋଧ କରି ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Breaking News