Report Card Odisha

| Daily Odia News

ସରକାର ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପିଏମ୍‍ ଆବାସ ଯୋଜନା ଓ ହରଘର ଜଳ ଯୋଜନା କେବଳ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏଗୁଡ଼ିକ ଦେଶର ଗରିବ ଲୋକମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ସରକାରଙ୍କ କାର୍ଯ୍ୟକ୍ରମର ଅଂଶବିଶେଷ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଦିନିକିଆ  ଆସାମ ଗସ୍ତ କରି ରାଜ୍ୟର ସପ୍ତମ କ୍ୟାନ୍ସର ହସ୍ପିଟାଲର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ଦୀଫୁରେ ଆୟୋଜିତ ଏକ ରାଲିରେ ଆସାମବାସୀଙ୍କୁ ଶାନ୍ତି, ଏକତା ଓ ବିକାଶ ଜନସଭାରେ ଉଦବୋଧନ ଦେଇ ଏହା କହିଛନ୍ତି। ଆସାମର କର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଅନୁଷ୍ଠିତ ଏହି ଜନସଭାରେ ସେ କହିଛନ୍ତି ଯେ, ଆଦିବାସୀ ସମାଜର ସାଂସ୍କୃତିକ ଐତିହ୍ୟ ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିଛି ଓ ଏକ ଭାରତ-ଶ୍ରେଷ୍ଠ ଭାରତକୁ ଅଧିକ ଶକ୍ତିଶାଳୀ କରିଛି । ଆଦିବାସୀ ସମାଜର ସଂସ୍କୃତି, ଭାଷା, ଖାଦ୍ୟ, କଳା ଓ ହସ୍ତଶିଳ୍ପ ଭାରତର ସମୃଦ୍ଧ ଐତିହ୍ୟ । ପ୍ରଧାନମନ୍ତ୍ରୀ କହିଛନ୍ତି ଆସାମରେ ଏକଛତ୍ରବାଦ ଓ ଘୃଣା ରାଜନୀତିର ଅବସାନ ଘଟିଛି । ଆସାମ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ରାଜ୍ୟରେ ଶାନ୍ତି ସ୍ଥାପିତ ହୋଇଛି। ଗତ ୮ବର୍ଷ ଧରି ସରକାର ଉତ୍ତର-ପୂର୍ବାଞ୍ଚଳର ଅନେକ ସ୍ଥାନରୁ ଆଫସ୍ପା (ଏଏଫଏସପିଏ)କୁ ପ୍ରତ୍ୟାହାର କରିଆସୁଛନ୍ତି । ସେହି ସ୍ଥାନ ଗୁଡ଼ିକରେ ସ୍ଥାୟୀ ଶାନ୍ତି ସ୍ଥାପନ ହୋଇପାରିଛି । ବୋଡୋ ରାଜିନାମା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ଥାୟୀ ଶାନ୍ତି ସ୍ଥାପନ ପାଇଁ ଏହା ବାଟ ଖୋଲିଛି। ଗତବର୍ଷ ସେପ୍ଟେମ୍ବର କର୍ବି ଆଙ୍ଗଲଙ୍ଗର ବହୁ ସଂଗଠନ ଶାନ୍ତି ଓ ବିକାଶ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । କେନ୍ଦ୍ର ସରକାର ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିପାଇଁ ଶାନ୍ତି ରାଜିନାମା ଅଧୀନରେ ୧ହଜାର କୋଟି ଟଙ୍କା ଦିଆଯାଇଛି। ଗତବର୍ଷ ସେପ୍ଟେମ୍ବର ମାସରେ ୬ଟି ଉଗ୍ରବାଦୀ ଗୋଷ୍ଠୀ ସହ ସେହି ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ସେ କହିଛନ୍ତି କାର୍ବି ଆଙ୍ଗଲଙ୍ଗ ଓ ଆସାମର ଅନ୍ୟାନ୍ୟ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଆଜି ଯଦି କେହି ଉତ୍ତର ପୂର୍ବାଞ୍ଚଳକୁ ଗସ୍ତ କରନ୍ତି ସେଠାରେ ସେମାନେ ବିକାଶର ସ୍ୱରୂପକୁ ଦେଖିପାରିବେ ଓ ଏଥିପାଇଁ ଗର୍ବ ଅନୁଭବ କରିବେ । ସରକାର ଆସାମର ଜନସାଧାରଣର ସମସ୍ୟାକୁ ବୁଝିଛନ୍ତି ଓ ସେଗୁଡ଼ିକ ସମାଧାନ ପାଇଁ କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି ୨ହଜାର ୬ଶହ ଅମୃତ ସରୋବର ନିର୍ମାଣ ପାଇଁ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି । ସେହି ସରୋବର ଗୁଡ଼ିକର ଆଦିବାସୀ ସମାଜରେ ସମୃଦ୍ଧ ପରମ୍ପରା ରହିଛି । ସେଗୁଡ଼ିକର ନିର୍ମାଣ ସହ ଗ୍ରାମ ଗୁଡ଼ିକରେ ଜଳ ସଂରକ୍ଷଣର ବ୍ୟବସ୍ଥା ହୋଇପାରିବ । ସେଗୁଡ଼ିକ ମଧ୍ୟ ଲୋକମାନଙ୍କ ଆୟ ବୃଦ୍ଧିରେ ସାହାଯ୍ୟ କରିବ । ଆଜାଦୀକା ଅମୃତ ମହୋତ୍ସବର ଅଂଶସ୍ୱରୂପ ଭାରତର ପ୍ରତ୍ୟେକ ଜିଲ୍ଲାରେ ଅମୃତ ସରୋବରମାନ ନିର୍ମାଣ କରାଯାଉଛି । ସବ୍‍ କା ସାଥ୍‍, ସବ୍‍କା ପ୍ରୟାସର ମନ୍ତ୍ରକୁ ଭିତ୍ତିକରି ସେଗୁଡ଼ିକର ନିର୍ମାଣ କରାଯାଉଛି ।

Breaking News