ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାହାଘରର ଖୁସି ହଠାତ୍ ଶୋକାକୂଳ ପରିବେଶରେ ବଦଳିଗଲା । ବାହା ହେବାକୁ ଥିବା ଝିଅକୁ ଗୁଳି କରି ହତ୍ୟା କଲା ଏକତରଫା ପ୍ରେମ କରୁଥିବା ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ମଥୁରାରେ | ଗତ ଗୁରୁବାର ରାତିରେ ମୁବାରକପୁର ଗାଁରେ ଖୁବିରାମ ନାମକ ଜଣେ ବ୍ୟକ୍ତିଙ୍କ ଝିଅ କାଜଲର ବାହାଘର ଥିଲା। ବରଯାତ୍ରୀଙ୍କୁ ନେଇ ବର ପହଁଞ୍ଚିଥିଲା। ହେଲେ ବିବାହ ସରିବା ପୂର୍ବରୁ କନିଆକୁ ଗୁଳିକରି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା ସେହି ଗାଁର ଜଣେ ଯୁବକ। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଦେଇଛି। ମଥୁରା ଥାନା ଅନ୍ତର୍ଗତ ନୋହଝିଲ ଗାଁର ମୁବାରକପୁର ନିବାସୀ ଖୁବିରାମଙ୍କ ଝିଅ କାଜଲଙ୍କ ବିବାହ ନୋଏଡାର ଜଣେ ଯୁବକ ସହିତ ସ୍ଥିର ହୋଇଥିଲା। ଗୁରୁବାର ବରଯାତ୍ରୀ ଆସିଥିଲେ। ଖୁବ୍ ଧୁମଧାମରେ ଜୟମାଳା ହୋଇଥିଲା। ଏହାପରେ ବିବାହ କର୍ମ ଚାଲିଥିଲା। ବଧୂବେଶରେ କାଜଲ ବିବାହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ନିଜର ରୁମ୍ରେ ବସିଥିଲେ। ଠିକ୍ ସେତିକି ବେଳେ ଜଣେ ଯୁବକ ତାଙ୍କ ରୁମ୍ ଭିତରକୁ ପଶି ଆସି ଗୁଳି କରି ହତ୍ୟା କରିଥିଲା। କାଜଲଙ୍କ ଆଖି ପାଖରେ ଏହି ଗୁଳି ବାଜିଥିଲା। ଏହାପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଝିଅର ମୃତ୍ୟୁ ପରେ ହସଖୁସିର ଘରେ ଖେଳି ଯାଇଥିଲା ଶୋକର ଲହରୀ। କୁହାଯାଉଛି ଯେ, ଅଭିଯୁକ୍ତ ଯୁବକ କାଜଲଙ୍କୁ ହତ୍ୟା କରିବା ପୂର୍ବରୁ ନିଜର ସାଙ୍ଗମାନଙ୍କ ସହ ମିଶି ବରଯାତ୍ରୀଙ୍କୁ ଖୁବ୍ ଧମକା ଧମକି କରିଥିଲା। ଅଭିଯୁକ୍ତ ଯୁବକ ସେହି ଗାଁରେ ରୁହେ। କାଜଲଙ୍କ ବାପା ଖୁବିରାମଙ୍କ କହିବା ଅନୁସାରେ, ଜୟମାଳା ହେବାପରେ ବିବାହର ଅନ୍ୟ କର୍ମର ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ ଯୁବକ ଜଣକ ଆସି ଗୁଳି କରି ଫେରାର ହୋଇଯାଇଥିଲା। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।






More Stories
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..
ନୀତିନ ନବୀନଙ୍କ ଇସ୍ତଫା…..
ଆଜି ଇସ୍ତଫା ଦେବେ ନୀତୀଶ…..